ୱାଶିଂଟନ୍/ତେହରାନ୍, ୧୮/୦୬: ବନ୍ଦ ହେବ ଆମେରିକା ଓ ଇରାନ ଯୁଦ୍ଧ। ଆମେରିକା ଓ ଇରାନ୍ ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହା ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ସହ ହର୍ମୁଜ୍ ପ୍ରଣାଳୀ ଖୋଲିବା ଏବଂ ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ୍ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ୍ ଡିଜିଟାଲ୍ ମାଧ୍ୟମରେ ଏହାକୁ ସ୍ୱାକ୍ଷର କରିଛନ୍ତି।
ଏହି ୧୪-ସୂତ୍ରୀ ବୁଝାମଣାପତ୍ର ଅନୁଯାୟୀ, ଉଭୟ ଦେଶ ସମସ୍ତ ଫ୍ରଣ୍ଟରେ (ଲେବାନନ୍ ସହିତ) ଯୁଦ୍ଧ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଓ ସ୍ଥାୟୀ ଭାବେ ବନ୍ଦ କରିବେ। ଇରାନ୍ ପରମାଣୁ ଅସ୍ତ୍ର ବିକାଶ କିମ୍ବା କ୍ରୟ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି ଏବଂ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପୁନଃ ଆରମ୍ଭ କରିବ। ଆମେରିକା ତରଫରୁ ନୌସେନା ଅବରୋଧ ଉଠାଇବା ସହ ଇରାନ୍ ପାଇଁ ପୁନଃନିର୍ମାଣ ସହାୟତା ପ୍ରଦାନ କରିବ। ଏହା ଏକ ଅନ୍ତରୀଣ ଚୁକ୍ତି ଏବଂ ପରବର୍ତ୍ତୀ ୬୦ ଦିନ ଯାଏ ପୂର୍ଣ୍ଣ ଶାନ୍ତି ଚୁକ୍ତି ପାଇଁ ଆଲୋଚନା ଚାଲିବ। ଆଲୋଚନା ସଫଳ ହେଲେ ଖୁବ୍ ଶୀଘ୍ର ୨ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିବେ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଏହି ଚୁକ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହା ବିଶ୍ୱବ୍ୟାପୀ ଶକ୍ତି ସଂକଟ ଦୂର କରିବ ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ଫଳରେ ତୈଳ ମୂଲ୍ୟ ହ୍ରାସ ପାଇବ। ମାକ୍ରନ୍ ଜି-୭ ସମ୍ମିଳନୀରେ ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି ଏବଂ ଇଉରୋପୀୟ ଦେଶଗୁଡ଼ିକ ହର୍ମୁଜ୍ ରକ୍ଷଣାବେକ୍ଷଣ ପାଇଁ ନୌସେନା ମିଶନ ପ୍ରସ୍ତୁତ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ପୂର୍ଣ୍ଣ ଶାନ୍ତି ଚୁକ୍ତି ହେବ ବୋଲି ଆଶା କରାଯାଉଛି।
ଏହି ଚୁକ୍ତି ବିଶ୍ୱ ଅର୍ଥନୀତି ପାଇଁ ବଡ଼ ଖୁସି ଖବର। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଫଳରେ ବିଶ୍ୱବ୍ୟାପୀ ତୈଳ ଯୋଗାଣ ପ୍ରଭାବିତ ହୋଇଥିଲା। ଏବେ ଜାହାଜ ଚଳାଚଳ ଆରମ୍ଭ ହେବା ସହ ଶକ୍ତି ମୂଲ୍ୟ ସ୍ଥିର ହେବ ଏବଂ ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନଃସ୍ଥାପିତ ହେବ ବୋଲି ଆଶା କରାଯାଉଛି। ଉଭୟ ଦେଶର ନେତାଙ୍କ ସ୍ୱାକ୍ଷର ପରେ ପାକିସ୍ତାନ ଏହି ବୁଝାମଣାକୁ କାର୍ଯ୍ୟକାରୀ ହୋଇଥିବା ଘୋଷଣା କରିଛି। ଏହା ଦୀର୍ଘ ଦିନର ଉତ୍ତେଜନା ପରେ ଏକ ବଡ଼ କୂଟନୀତିକ ସଫଳତା ବୋଲି ବିବେଚିତ ହେଉଛି।