ମିଥ୍ୟା ଏନକାଉଣ୍ଟର ଅଭିଯୋଗରେ ଜାତୀୟ ରାଜପଥ ଅବରୋଧ

ମାଲକାନଗିରି: ମିଥ୍ୟା ଏନକାଉଣ୍ଟର ଅଭିଯୋଗ କରି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ଭେଜାଗୁଡା ପଞ୍ଚାୟତର ଶତାଧିକ ମହିଳା ପୁରୁଷ କୋତାମେଟା ଠାରେ ୩୨୬ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଗତ ୧୦ ତାରିଖରେ  କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲ ଭିତରେ ୨ଜଣକୁ ପୁଲିସ ମାଓବାଦୀ ଦର୍ଶାଇ ଏନକାଉଣ୍ଟର କରିବା ଘଟଣା ସମ୍ପୁର୍ଣ୍ଣ ମିଥ୍ୟା କହି ଆଜି ମୃତକଙ୍କ ପରିବାର ସମ୍ପର୍କୀୟ ଓ ଶହ ଶହ ଗ୍ରାମବାସୀ କୋତାମେଟା ଗ୍ରାମ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ସୂଚନା ମୁତାବକ ଗତ ୧୦ ତାରିଖ ଦିନ ୨ଜଣ ବ୍ୟକ୍ତି ବୈପାରିଗୁଡା ମାଲିଗୁଡ଼ା ଜଙ୍ଗଲରେ କାଉଡ଼ି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ, ସେହି ସମୟରେ, କୋରାପୁଟ ଜିଲ୍ଲା ପୁଲିସ ତଥା ଏସଓଜି ଓ ଡିଭିଏଫ ଯବାନ  ପକ୍ଷରୁ ଗଂଜେଇ ଚାଲାଣକାରୀଙ୍କ ଉପରେ ଗୁଳିଚାଳନା କରିଥିଲେ। ତେବେ ପୁଲିସ ଗୁଳିରେ ମାଲକାନଗିରି ଭେଜାଗୁଡା ପଞ୍ଚାୟତର ସର୍ଗିଗୁଡା ଗ୍ରାମର  ୪୧ ବର୍ଷୀୟ ଧନ କମାର ନାମକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ଅନ୍ୟ ଜଣେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟ କୁମାର ନାଗ ବୋଲି ଜଣାପଡିଛି।