ମିଳୁନି ଭତ୍ତା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

‘ଏହା ପ୍ରଶାସନିକ ତ୍ରୁଟି ନୁହେଁ, ଶାସନ ବ୍ୟବସ୍ଥାର ବିଫଳତା’

ଭୁବନେଶ୍ୱର, ୧୯/୦୬: ରାଜ୍ୟରେ ଭତ୍ତା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ତିନି ମାସ ଧରି ବନ୍ଦ ଥିବା ଭତ୍ତା ପ୍ରଦାନ କରିବାକୁ ମୋହନଙ୍କୁ ଚିଠି ଲେଖିଛନ୍ତି ନବୀନ। ୩ ମାସ ଧରି ଭତ୍ତା ନ ମିଳିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

ନବୀନ କହିଛନ୍ତି, ପେନ୍‌ସନଭୋଗୀଙ୍କ ମଧ୍ୟରେ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ରହିଛନ୍ତି। ୩ ମାସ ଭତ୍ତା ନ ମିଳିବାରୁ ବହୁ ଲୋକ ଅସୁବିଧା, ଅଭାବର ସମ୍ମୁଖୀନ ହୋଇଛନ୍ତି। ପ୍ରଯୁକ୍ତିଗତ ତ୍ରୁଟି ଯୋଗୁଁ ଲୋକଙ୍କ ଅଧିକାର ବାଧାପ୍ରାପ୍ତ ହେବା ଗ୍ରହଣୀୟ ନୁହେଁ। ଏହା ପ୍ରଶାସନିକ ତ୍ରୁଟି ନୁହେଁ, ଶାସନ ବ୍ୟବସ୍ଥାର ବିଫଳତା। ବକେୟା ପେନ୍‌ସନ ରାଶିକୁ ମାନୁଆଲ ପଦ୍ଧତିରେ ଦିଆଯିବା ଉଚିତ। କାଳ ବିଳମ୍ବ ନ କରି ତୁରନ୍ତ ବକେୟା ପେନ୍‌ସନ ମୁକ୍ତ କରିବା ଉଚିତ। ଗଞ୍ଜାମର ସାବିତ୍ରୀ ଦୋରାଙ୍କ ମୃତ୍ୟୁ ଖବର ବି ଚିଠିରେ ଉଲ୍ଲେଖ କରିବା ସହ ଏଭଳି ସ୍ଥିତିର ପୁନରାବୃତ୍ତି ନ ହେବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।