ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା

ପରୀକ୍ଷାର୍ଥୀଙ୍କ ସହ ଜଣେ ଅଭିଭାବକଙ୍କୁ ମିଳିବ ନିଃଶୁଳ୍କ ଯାନ ସୁବିଧା

ଜରୁରୀ ସୂଚନା ପାଇଁ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ

ଭୁବନେଶ୍ୱର, ୧୯/୦୬: ନିଟ୍‌ ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍‌ ସେବା ପ୍ରଦାନ କରାଯିବ। ଆସନ୍ତା ରବିବାର ଅର୍ଥାତ ଜୁନ ୨୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ଛାତ୍ରଛାତ୍ରୀଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ଏହି ନିଃଶୁଳ୍କ ଯାନ ସୁବିଧା ଯୋଗାଇଦେବେ ରାଜ୍ୟ ସରକାର।

ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ୍‌ (ମାଷ୍ଟରକ୍ୟାଣ୍ଟିନ୍‌), ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ୍‌ ଷ୍ଟେସନ୍‌, ଖୋର୍ଦ୍ଧା ବସ୍‌ଷ୍ଟାଣ୍ଡରୁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ପରୀକ୍ଷା କେନ୍ଦ୍ରକୁ ନେବା-ଆଣିବା ପାଇଁ ସ୍ୱତନ୍ତ୍ର ବସ୍‌ର ବ୍ୟବସ୍ଥା କରାଯାଇଛି। ଉକ୍ତ ଦିନ ଏହି ରୁଟରେ ଯିବା ଆସିବା କରୁଥିବା ଅନ୍ୟ ସରକାରୀ ବସରେ ମଧ୍ୟ ଛାତ୍ରଛାତ୍ରୀ ମାନେ ସମାନ ସୁବିଧା ପାଇପାରିବେ।

ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୬ଟି ପରୀକ୍ଷା କେନ୍ଦ୍ର ପାଇଁ ପରୀକ୍ଷାର୍ଥୀମାନଙ୍କୁ ନେବା ଆଣିବା ନିମନ୍ତେ ୧୦୮ଟି ବସ୍‌ ଚଳାଚଳ କରିବ। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ସହ ସେମାନଙ୍କ ଜଣେ ଅଭିଭାବକ ମଧ୍ୟ ଏହି ନିଃଶୁଳ୍କ ଯାନ ସୁବିଧା ପାଇପାରିବେ।

ଛାତ୍ରଛାତ୍ରୀମାନେ ସେମାନଙ୍କ ନିଟ୍‌ ପରୀକ୍ଷାର ଆଡ୍‌ମିଟ୍‌ କାର୍ଡ ଦେଖାଇ ବସ୍‌ରେ ଯାତାୟତ କରିପାରିବେ। ଏହି ବସ୍‌ସେବା ଦ୍ୱାରା ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ଦୂରସ୍ଥାନର ଛାତ୍ରଛାତ୍ରୀ ଉପକୃତ ହେବା ସହ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ସହଜ ହେବ।

ପରୀକ୍ଷାର୍ଥୀମାନେ ଅଧିକ ସୂଚନା ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ଶ୍ରୀ ରବୀନ୍ଦ୍ର ନାଥ ଜେନା (୯୨୩୭୩୭୮୬୫୮) ଏବଂ ଶ୍ରୀ ଚିତ୍ତରଞ୍ଜନ ସାହୁ (୯୨୩୭୩୭୮୫୭୨)ରେ ଯୋଗାଯୋଗ କରିପାରିବେ।