ପାହାଡ଼ପୁର ଗାଁ ଏବେ ‘ସୂର୍ଯ୍ୟ ଗାଁ’ ଭାବେ ବିକଶିତ ହେବ

ଦାଣ୍ଡବୋଷ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ମୟୁରଭଞ୍ଜ, ୨୦/୦୬: ମୟୂରଭଞ୍ଜରେ ଦାଣ୍ଡବୋଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଆଜି ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ହରିବାବୁ କାମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ କହିଥିଲେ ଯେ, ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂରଣ କରିଛି।‌ ୨ ବର୍ଷରେ ମହାପୁରୁଷଙ୍କ ସ୍ବପ୍ନ ପୂରଣ ପାଇଁ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଆଜିର ଜନ୍ମଦିନ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗାଁକୁ ଆସି ଶୁଭକାମନା ଜଣାଇବାର ସୁଯୋଗ ମିଳିଛି। ରାଷ୍ଟ୍ରପତି ବନାଇଥିବା ସ୍କୁଲ ଯାଇ ପିଲାଙ୍କ ସହ ମିଶିଲି। ପିଲାମାନେ ଆଜି ରାଷ୍ଟ୍ରପତି ନୁହେଁ, ସେମାନଙ୍କ ମାଆ ଆସିଥିବା କହିଲେ।

ପାହାଡ଼ପୁରକୁ ‘ସୂର୍ଯ୍ୟଗ୍ରାମ’ ଭାବେ ତିଆରିର ପ୍ରତିଶ୍ରୁତି ଦେଉଛି। ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, ଲୋକେ ମାଗଣା ସେବା ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ବିକାଶ ଦ୍ରୁତ ଗତିରେ ବଢ଼ୁଛି। ସବୁ କ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ପୁଞ୍ଜି ଆସି ଚାଲିଛି। ଉତ୍କର୍ଷ ଓଡ଼ିଶା ପାଇଁ ୨୦ ଲକ୍ଷ କୋଟିର ପ୍ରତିଶ୍ରୁତି ମିଳିଛି। ଶକ୍ତି କ୍ଷେତ୍ର ପାଇଁ ୬ ହଜାର କୋଟିର ପୁଞ୍ଜି ଆସିଛି।

ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଖରେ ପହଞ୍ଚି ପାରିଛି। ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ ରାଜ୍ୟରେ ଲାଗୁ ହୋଇଛି। ସ୍ବଚ୍ଛ ଭାରତ ଅଭିଯାନରେ ଓଡ଼ିଶା ପ୍ରଶଂସନୀୟ କାର୍ଯ୍ୟ କରୁଛି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି। ପିଏମ ଜନମନ ଯୋଜନା ରାଷ୍ଟ୍ରପତିଙ୍କ ପାଇଁ ହିଁ ଆରମ୍ଭ ହୋଇଛି। ଜନଜାତି ଲୋକଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ମୟୂରଭଞ୍ଜରେ ଆଉ ଏକ ନବୋଦୟ ବିଦ୍ୟାଳୟ ପାଇଁ ଅନୁମତି ଦେଉଛି‌। ଆସନ୍ତାକାଲିର ଯୋଗଦିସରେ ଅଧିକରୁ ଅଧିକ ସାମିଲ ହେବାକୁ ଅପିଲ କରିଛନ୍ତି।

ଜନ୍ମଦିନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।‌ ମୁଖ୍ୟମନ୍ତ୍ରୀ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ କୃତଜ୍ଞତା ଜଣାଇଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କଲ୍ୟାଣକାରୀ ଯୋଜନା ଅତ୍ୟନ୍ତ ପ୍ରଶଂସନୀୟ। ୨୦୧୪ ପରଠୁ ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା ଆଣିଛନ୍ତି, ସଫଳତା ମିଳିଚାଲିଛି। ଏଥି ସହ ଦୁଇ ବର୍ଷର ରାଜ୍ୟ ଶାସନର ସଫଳତା ନେଇ ତଥ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଡବଲ ଇଞ୍ଜିନ ଶାସନରେ ବିକାଶ ତ୍ବରାନ୍ବିତ ହୋଇଛି। ପ୍ରତିଶ୍ରୁତି ପ୍ରତିବଦ୍ଧତା ନେଇ ରାଜ୍ୟ ସରକାର କାର୍ଯ୍ୟ କରି ଚାଲିଛନ୍ତି। ରାଜ୍ୟର କଲ୍ୟାଣ ଉଦ୍ୟମରେ ତିଳେ ମାତ୍ର ହେଳା କରିବୁନି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।