ସରକାରୀ ଆପ୍ ମାଧ୍ୟମରେ ସମନ୍ୱିତ ଗମନାଗମନ ଓ ନାଗରିକ ସୁରକ୍ଷା ସେବା ଯୋଗାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ
‘ଓଡ଼ିଶା ଯାତ୍ରୀ’ ଆପ୍ରେ ଉନ୍ନତ ସୁରକ୍ଷା ମଡ୍ୟୁଲ୍ର ଶୁଭାରମ୍ଭ
ଭୁବନେଶ୍ୱର, ୨୯/୦୬: ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଓଡ଼ିଶା ଯାତ୍ରୀ’ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି। ସୁରକ୍ଷିତ, ସ୍ମାର୍ଟ ଏବଂ ସଂଯୁକ୍ତ ଓଡ଼ିଶା ଗଠନ ସହ ଜନସାଧାରଣଙ୍କ ସେବାକୁ ଏକକ ନିର୍ଭରଯୋଗ୍ୟ ପ୍ଲାଟଫର୍ମକୁ ଆଣିବା ପାଇଁ ପ୍ରଶାସନର ଥିବା ସଙ୍କଳ୍ପକୁ ଏହି ଅଭିନବ ପ୍ରୟାସ ପ୍ରତିଫଳିତ କରୁଛି।
ପୂର୍ବରୁ ଅଟୋ-ରିକ୍ସା ବୁକିଂ, କ୍ୟାବ୍ ସେବା, ‘ଆମ ବସ୍’ ସୂଚନା ଓ ଟିକେଟିଂ ଏବଂ ବୋଟିଂ ସେବା ଭଳି ଦୈନନ୍ଦିନ ଗମନାଗମନ ପାଇଁ ଜନସାଧାରଣଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହେଉଥିବା ‘ଓଡ଼ିଶା ଯାତ୍ରୀ’ ଆପ୍ରେ ଏବେ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏକ ବ୍ୟାପକ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲ୍କୁ ଓଡ଼ିଶା ପୋଲିସ୍ ଏବଂ ଜାତୀୟ ଜରୁରୀକାଳୀନ ସେବା ‘୧୧୨’ ସହ ସମନ୍ୱିତ କରାଯାଇଛି, ଯାହା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଉପଭୋକ୍ତାମାନେ ରିୟଲ୍-ଟାଇମ୍ ଲୋକେସନ୍ ଆଧାରିତ ଆଲର୍ଟ ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ନାଗରିକ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରତ୍ୟେକ ନାଗରିକଙ୍କ ପାଇଁ ଆବଶ୍ୟକ ସମୟରେ ନିର୍ଭରଯୋଗ୍ୟ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ହେବା ଉଚିତ। ସରକାରୀ ସେବାକୁ ଆହୁରି ସହଜ, ପ୍ରତିକ୍ରିୟାଶୀଳ ଏବଂ ସର୍ବବ୍ୟାପୀ କରିବା ଦିଗରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଛନ୍ତି।
ବ୍ୟକ୍ତିଗତ ସୁରକ୍ଷାକୁ ବ୍ୟାପକ କରିବା ପାଇଁ ଏହି ସୁରକ୍ଷା ମଡ୍ୟୁଲ୍ରେ ଅନେକ ଆଧୁନିକ ବ୍ୟବସ୍ଥା କରାଯାଇଛି। ‘ୱାନ୍-ଟ୍ୟାପ୍ SOS’ ବୈଶିଷ୍ଟ୍ୟ ମାଧ୍ୟମରେ ଉପଭୋକ୍ତାମାନେ ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଶା ପୋଲିସ୍ ଏବଂ ନିଜର ବିଶ୍ୱସ୍ତ ବ୍ୟକ୍ତିମାନଙ୍କ ପାଖକୁ ତୁରନ୍ତ ଲାଇଭ୍ ଲୋକେସନ୍ ସହ ଆଲର୍ଟ ପଠାଇପାରିବେ। ମୋବାଇଲ୍ ସ୍କ୍ରିନ୍ ବ୍ୟବହାର କରିବା ସମ୍ଭବ ହେଉନଥିବା ସମୟରେ ଆଣ୍ଡ୍ରଏଡ୍ ଡିଭାଇସ୍କୁ ହଲାଇ କିମ୍ବା ଆଇଫୋନ୍ର ପଛ ଭାଗକୁ ଟ୍ୟାପ୍ କରି ‘ଜେସ୍ଚର-ଟ୍ରିଗର୍ଡ SOS’ ମାଧ୍ୟମରେ ସହାୟତା ଲୋଡ଼ିହେବ। ଏହାସହ ପରିବାର ସଦସ୍ୟଙ୍କ ସହ ରିୟଲ୍-ଟାଇମ୍ ଲୋକେସନ୍ ସେୟାରିଂ, ‘ଇମରଜେନ୍ସି ସାଇରେନ୍’ ଏବଂ ‘ଆମ୍ବିଏଣ୍ଟ ଅଡିଓ ରେକର୍ଡିଂ’ ଭଳି ବ୍ୟବସ୍ଥା ଜରୁରୀକାଳୀନ ସମୟରେ ଅଧିକ ସହାୟକ ହେବ। ଏହି ସୁରକ୍ଷା ମଡ୍ୟୁଲ୍ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ରହିଛି।
ଏହି ସୁରକ୍ଷା ମଡ୍ୟୁଲ୍ର ଶୁଭାରମ୍ଭ ସହ ‘ଓଡ଼ିଶା ଯାତ୍ରୀ’ କେବଳ ଏକ ଗମନାଗମନ ଆପ୍ ମଧ୍ୟରେ ସୀମିତ ନରହି ଏକ ସମନ୍ୱିତ ଡିଜିଟାଲ୍ ପ୍ଲାଟଫର୍ମରେ ପରିଣତ ହୋଇଛି। ଆଗାମୀ ଦିନରେ ଏଥିରେ ଆନ୍ତଃସହର ବସ୍ ସେବା, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଇଁ ଡିଜିଟାଲ୍ ଟିକେଟିଂ ଏବଂ ଅନ୍ୟାନ୍ୟ ଜନସେବାକୁ ସାମିଲ କରାଯାଇ ଏହାକୁ ଦେଶର ପ୍ରଥମ ସରକାରୀ ‘ସୁପର ଆପ୍’ ଭାବେ ଗଢ଼ିତୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଗମନାଗମନ, ସୁରକ୍ଷା ଏବଂ ସରକାରୀ ସେବାକୁ ଏକକ ପ୍ଲାଟଫର୍ମକୁ ଆଣି ‘ଓଡ଼ିଶା ଯାତ୍ରୀ’ ରାଜ୍ୟର ଡିଜିଟାଲ୍ ଶାସନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଜନସାଧାରଣଙ୍କ ଜୀବନଧାରଣର ମାନ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ସହ ନାଗରିକ-କୈନ୍ଦ୍ରିକ ଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରୁଛି।