ହାଇଟେକ୍ ମେଡିକାଲ୍ ସମ୍ମୁଖରେ ବିଏମ୍‌ସିର ଡମିଂୟାର୍ଡ

ମେଡିକାଲ ଛାତ୍ରଛାତ୍ରୀ, କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ

ଭୁବନେଶ୍ଵର, ୨୯/୦୬: ଭୁବନେଶ୍ଵର ପାଣ୍ଡରାରେ ଥିବା ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲର ସମ୍ମୁଖରେ ବିଏମ୍‌ସିର ଡମିଂୟାର୍ଡ | ଶହଶହ ଟ୍ରକ୍ ଆବର୍ଜନା ମେଡିକାଲ୍ ସମ୍ମୁଖରେ ପ୍ରତିଦିନ ଗଦାକରୁଛି ବିଏମ୍‌ସି, ଫଳରେ ପାଣ୍ଡରା ଗାଁ ସମେତ ସ୍ଥାନୀୟ ଆପାର୍ଟମେଣ୍ଟରେ ରହୁଥ‌ିବା ଲୋକମାନଙ୍କ ଅବସ୍ଥା ଖରାପ ହୋଇପଡିଛି।

ସ୍ଥାନୀୟ ଲୋକଙ୍କ କହିବା ହେଲା, ବିଏମ୍‌ସି ମେଡିକାଲ୍ ଓ ଲୋକମାନେ ରହୁଥ‌ିବା ଅଞ୍ଚଳ ସଫା ରଖିବା କଥା, ହେଲେ ଏଠାରେ ଓଲଟା କରୁଛି | ବିଏମ୍‌ସି କର୍ତ୍ତୃପକ୍ଷ ଏ ସଂପର୍କରେ ଅବଗତ ଅଛନ୍ତି କି ନାହିଁ ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି, ପାଣ୍ଡରା ସମେତ ମେଡିକାଲ୍‌ର ୱାର୍ଡ, ଅଫିସ ଓ ସ୍ଥାନୀୟ ଅଞ୍ଚଳ ପୁତିମୟ ଗନ୍ଧରେ ଫାଟି ପଡୁଛି I ରାସ୍ତା କଡରେ ଗଦାହୋଇଥିବା ଆବର୍ଜନା ଯୋଗୁ ଯାତାୟତ ବାଧାପ୍ରାପ୍ତ ହେଉଛି | ଏ ସଂପର୍କରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ଯ କୌଣସି ସୁଫଳ ମିଳୁନି ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି | ଫଳରେ ଆଜି ଶତାଧୂକ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବି, ଛାତ୍ରଛାତ୍ରୀ ଓ କର୍ମଚାରୀ ହାତରେ ପ୍ଲା-କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ଭୁବନେଶ୍ବର ମହାନଗର ନିଗମ ଏଠାରେ ଡମିଂୟାର୍ଡ ନକରିବାକୁ ଦାବି କରିବା ସହ, ଏହା ଡାକ୍ତରଖାନାକୁ ଆସୁଥ‌ିବା ହଜାର ହଜାର ରୋଗୀ,ସେମାନଙ୍କ ପରିଜନ, ଡାକ୍ତରୀ ଛାତ୍ରୀଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଦୁର୍ବିସହ ହୋଇପଡିଛି I ତୁରନ୍ତ ଏଠାରୁ ଆବର୍ଜନା ହଟାଇବା ସହ ଏ ସ୍ଥାନକୁ ପରିଷ୍କାର କରିବା ସହ ଏ ଅଞ୍ଚଳରେ କିପରି ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ ସେ ନେଇ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି I ଏହି ଡମିଂୟାର୍ଡ ସମସ୍ୟା ସଂପର୍କରେ ବିଏମ୍‌ସି କମିଶନର ଓ ମେୟରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ସମସ୍ୟାର ତୁରନ୍ତ ସମାଧାନ ନକଲେ, ଆସନ୍ତାଦିନରେ ହଜାର ହଜାର ସ୍ଥାନୀୟ ବାସିନ୍ଦା ଓ ବିଦ୍ୟାର୍ଥୀ ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।