ଏମସିଏଲ୍ ପକ୍ଷରୁ ‘ସ୍ୱୟଂସିଦ୍ଧା’ ଅଧୀନରେ ମହିଳାମାନଙ୍କ ପାଇଁ ଡ୍ରାଇଭିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ଏମସିଏଲ୍‌ରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବ ଏହି ପଦକ୍ଷେପ

ସମ୍ବଲପୁର, ୨୯/୦୬: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମହିଳା ସଶକ୍ତିକରଣ ଏବଂ ଦକ୍ଷତା ବିକାଶ ଦିଗରେ ନିଜର ନିରନ୍ତର ପ୍ରୟାସ ଜାରି ରଖି ଏହାର ସମ୍ୱଲପୁରସ୍ଥିତ ମୁଖ୍ୟାଳୟଠାରେ ‘ୱିମେନ୍ ଇନ୍ ପବ୍ଲିକ୍ ସେକ୍ଟର’ (WIPS) ର ‘ସ୍ୱୟଂସିଦ୍ଧା’ ପଦକ୍ଷେପ ଅଧୀନରେ ମହିଳା କର୍ମଚାରୀମାନଙ୍କ ପାଇଁ ଏକ ଡ୍ରାଇଭିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି।

ଏମସିଏଲ୍‌ର ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ (CMD) ଶ୍ରୀ ଉଦୟ ଅନନ୍ତ କାଓଲେ ଏବଂ ଜାଗୃତି ମହିଳା ମଣ୍ଡଳର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା କାଓଲେ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ମାନବ ସମ୍ବଳ); ଶ୍ରୀ ଏ.କେ. ବେହୁରା, ନିର୍ଦ୍ଦେଶକ (ଅର୍ଥ); ଶ୍ରୀ ଏସ୍.କେ. ଝା, ନିର୍ଦ୍ଦେଶକ (ବୈଷୟିକ) ଙ୍କ ସମେତ ଜାଗୃତି ମହିଳା ମଣ୍ଡଳର ଉପସଭାନେତ୍ରୀଗଣ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ, ୩୦ ଜଣ ମହିଳା କର୍ମଚାରୀଙ୍କୁ ସିମ୍ୟୁଲେଟର୍ ଆଧାରିତ ଏବଂ ଅନ୍-ରୋଡ୍ ଡ୍ରାଇଭିଂର ଏକ ସୁଚିନ୍ତିତ ମଡ୍ୟୁଲ୍ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ମହିଳା କର୍ମଚାରୀମାନଙ୍କୁ ଆବଶ୍ୟକୀୟ ଡ୍ରାଇଭିଂ ଦକ୍ଷତାରେ ନିପୁଣ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ, ଯାହା ଦ୍ୱାରା ସେମାନଙ୍କର ଗତିଶୀଳତା ଓ ସ୍ୱାଧୀନତା ବୃଦ୍ଧି ପାଇବ।

ଏହି ଅବସରରେ ଜାଗୃତି ମହିଳା ମଣ୍ଡଳର ଉପସଭାନେତ୍ରୀ ଶ୍ରୀମତୀ ଅଳ୍ପନା ଶୁକ୍ଲା ରାଓ ଡ୍ରାଇଭିଂକୁ ଏକ ଗୁରୁତ୍ୱପୂର୍ଣ୍ଣ ଜୀବନ କୌଶଳ ଭାବରେ ଅଭିହିତ କରି କହିଛନ୍ତି ଯେ, ଏହା ମହିଳାମାନଙ୍କ ଆତ୍ମନିର୍ଭରଶୀଳତାକୁ ବଢ଼ାଇବା ସହ ସାମାଜିକ ଓ ବୃତ୍ତିଗତ କ୍ଷେତ୍ରରେ ସେମାନଙ୍କୁ ଅଧିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସକ୍ଷମ କରିବ।

ଏହି ପଦକ୍ଷେପ ଏମସିଏଲ୍‌ରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବିକାଶକୁ ବଢ଼ାଇବା ଏବଂ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ କମ୍ପାନୀର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି।