କର୍ମଚାରୀଙ୍କ ଡ଼ିଜିଟାଲ୍ ଦକ୍ଷତା ବୃଦ୍ଧି ପାଇଁ ଆଇ.ଆଇ.ଏମ୍ ରାୟପୁର ଏବଂ ଆଇ.ଆଇ.ଏମ୍ ବିଶାଖାପାଟଣା ସହ ଚୁକ୍ତି ସ୍ୱାକ୍ଷର କଲା ଏମ୍.ସି.ଏଲ୍
ସଂଗଠିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ନେବେ ୮୦୦ ଜଣ ଅଧିକାରୀ
ସମ୍ବଲପୁର, ୨୯/୦୬: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ନିଜ କର୍ମଚାରୀଙ୍କ ଡିଜିଟାଲ୍ ଦକ୍ଷତା ବୃଦ୍ଧି ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ତଥା କୃତ୍ରିମ ବୃଦ୍ଧିମତା (AI), ମେସିନ୍ ଲର୍ଣ୍ଣିଂ (ML) ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ ପାଇଁ କମ୍ପାନୀ ଭାରତୀୟ ପରିଚାଳନା ସଂସ୍ଥାନ ତଥା ଆଇ.ଆଇ.ଏମ୍ ରାୟପୁର ଏବଂ ଆଇ.ଆଇ.ଏମ୍ ବିଶାଖାପାଟଣା ସହିତ ଦ୍ୱିପାକ୍ଷିକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛି।
ଏହି ସହଯୋଗ ଅଧୀନରେ ଏମ୍.ସି.ଏଲର ସମୁଦାୟ ୮୦୦ ଜଣ ଅଧିକାରୀଙ୍କୁ ସଂଗଠିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ଏଥିମଧ୍ୟରୁ ୫୦୦ ଜଣ ଅଧିକାରୀଙ୍କୁ ଆଇ.ଆଇ.ଏମ୍ ରାୟପୁର ଏବଂ ୩୦୦ ଜଣ ଅଧିକାରୀଙ୍କୁ ଆଇ.ଆଇ.ଏମ୍ ବିଶାଖାପାଟଣା ଦ୍ୱାରା ପ୍ରଶିକ୍ଷିତ କରାଯିବ। ଏହି ସ୍ୱତନ୍ତ୍ର ପାଠ୍ୟକ୍ରମକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି, ଯାହା ଅଧିକାରୀମାନଙ୍କୁ ଏ.ଆଇ ଏବଂ ଏମ୍.ଏଲର ଉନ୍ନତ ଜ୍ଞାନ ଏବଂ ବ୍ୟବହାରିକ ପ୍ରୟୋଗ ବିଷୟରେ ଅବଗତ କରାଇବ। ଏହାଦ୍ୱାରା ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ, କାର୍ଯ୍ୟକ୍ଷମତାର ସରଳୀକରଣ ଏବଂ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ନୂତନ ଚିନ୍ତାଧାରାର ବିକାଶ ହୋଇପାରିବ।
ଏମ୍.ସି.ଏଲର ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ କେଶବ ରାଓ, ଆଇ.ଆଇ.ଏମ୍ ବିଶାଖାପାଟଣାର ଡିନ୍ (ଏକାଡେମିକ୍ସ) ପ୍ରଫେସର ବିଜୟ ଭାସ୍କର ମାରିସେଟ୍ଟି ଏବଂ ଆଇ.ଆଇ.ଏମ୍ ରାୟପୁରର ପ୍ରଭାରୀ ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ପ୍ରାଶର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ଏମ୍.ସି.ଏଲର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ (CMD) ଶ୍ରୀ ଉଦୟ ଅନନ୍ତ କାଓଲେ, କମ୍ପାନୀର ନିର୍ଦ୍ଦେଶକଗଣ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଭାଗିଦାରୀ ଏମ୍.ସି.ଏଲର ଡିଜିଟାଲ୍ ରୂପାନ୍ତରଣ ଯାତ୍ରାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଏହା କମ୍ପାନୀରେ ଭବିଷ୍ୟତର ନେତୃତ୍ୱ ନେବା ଭଳି ଦକ୍ଷତା ପ୍ରସ୍ତୁତ କରିବ ଏବଂ କାର୍ଯ୍ୟଦକ୍ଷତା, ଉତ୍ପାଦନ ଓ ବ୍ୟବସାୟିକ ଉତ୍କର୍ଷତା ବୃଦ୍ଧି ପାଇଁ ଏ.ଆଇଏବଂ ଏମ୍.ଏଲ୍ ର ସଫଳ ବ୍ୟବହାରରେ ସହାୟକ ହେବ।
ଦ୍ରୁତ ଗତିରେ ବଦଳୁଥିବା ବ୍ୟବସାୟିକ ପରିବେଶରେ ନିଜ ପ୍ରତିଯୋଗିତାମୂଳକ ମନୋଭାବ ବଜାୟ ରଖିବା ପାଇଁ କର୍ମଚାରୀଙ୍କ ଦକ୍ଷତା ବିକାଶ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାର ଆପଣେଇବା ଦିଗରେ ଏମ୍.ସି.ଏଲ୍ ର ନିରନ୍ତର ପ୍ରୟାସକୁ ଏହି ପଦକ୍ଷେପ ପୁନର୍ବାର ପ୍ରମାଣିତ କରିଛି।