ଟ୍ୱିନ ସିଟିରେ ଲଗାଣ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ସାତ ଦିନ ଯାଏଁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, ୩୦/୦୬: ଗରମ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି। ବର୍ଷାରେ ଭିଜିଲା ଭୁବନେଶ୍ବର ଓ କଟକ। ସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ବେହାଲ ଟ୍ବିନ ସିଟି। ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ବର୍ଷା ସହ ପବନ ଜାରି ରହିଛି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି, ସାରା ରାଜ୍ୟରେ ମେଘୁଆ ପାଗ ଏବଂ ଆର୍ଦ୍ର ପରିସ୍ଥିତି ରହିଛି। ଆସନ୍ତାକାଲିଠାରୁ ବର୍ଷା ଆହୁରି ତୀବ୍ର ହେବ ବୋଲି ଆଶା କରାଯାଉଛି। ଆଗାମୀ ସାତ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ଏବଂ ଝଡ଼ ପବନ ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି।
ସକ୍ରିୟ ମୌସୁମୀ ସତ୍ତ୍ୱେ, ଚଳିତ ଋତୁରେ ଓଡ଼ିଶାରେ ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ନବରଙ୍ଗପୁର, ବୌଦ୍ଧ, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ ବର୍ଷା ଅଭାବ ରହିଛି।