ଜାତୀୟ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତୀକରଣ ନେଇ ଦୁଇ ଦିନିଆ ଜାତୀୟ କର୍ମଶାଳା ଭୁବନେଶ୍ୱରରେ ଆରମ୍ଭ
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ଟ୍ରାଇବ୍ଏକ୍ସ (TribeX)’ ଡିଜିଟାଲ୍ ଶିକ୍ଷା ମଞ୍ଚର ଶୁଭାରମ୍ଭ
ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ, ବାରାଣସୀ ଏବଂ କିଟ୍ ଟେକ୍ନୋଲୋଜି ବିଜନେସ୍ ଇନ୍କ୍ୟୁବେଟର ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ୦୭/୦୭: କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନ (Tribal Research Institutes – TRIs)ଗୁଡ଼ିକର ସଶକ୍ତୀକରଣ ଉଦ୍ଦେଶ୍ୟରେ ଦୁଇ ଦିନିଆ ଜାତୀୟ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଜନଜାତି ସମ୍ପ୍ରଦାୟର ଐତିହ୍ୟ ସଂରକ୍ଷଣ, ଗବେଷଣାକୁ ସୁଦୃଢ଼ କରିବା ଏବଂ ସମାବେଶୀ ବିକାଶକୁ ଆହୁରି ଗତିଶୀଳ କରିବା ଦିଗରେ ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପୁନର୍ବ୍ୟକ୍ତି ହେଉଛି ଏହି କର୍ମଶାଳା।
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ କର୍ମଶାଳାର ଉଦ୍ଘାଟନ କରିଥିଲେ। ଏହି ଅବସରରେ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ, ନୀତି ଆୟୋଗର ସଦସ୍ୟ ଡ. ଆର୍. ବାଳସୁବ୍ରମଣ୍ୟମ୍, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-କମ୍-ସଚିବ ଶ୍ରୀ ବି. ପରମେଶ୍ୱରନ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଅନନ୍ତ ପ୍ରକାଶ ପାଣ୍ଡେଙ୍କ ସମେତ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରମ୍ ପରିବେଷଣ ପରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବିଭିନ୍ନ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs), ରାଜ୍ୟ ଜନଜାତି କଲ୍ୟାଣ ବିଭାଗ, ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ, ପ୍ରଯୁକ୍ତି ସଂସ୍ଥା, ଶିଳ୍ପ ସଂଗଠନ, ବିକାଶ ସହଯୋଗୀ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ସାମିଲ ହୋଇଛନ୍ତି।
ଉଦ୍ଘାଟନୀ ଅଧିବେଶନର ଏକ ପ୍ରମୁଖ ଆକର୍ଷଣ ଥିଲା ଟ୍ରାଇବ୍ଏକ୍ସ (TribeX) ନାମକ ଡିଜିଟାଲ୍ ଶିକ୍ଷା ମଞ୍ଚର ଶୁଭାରମ୍ଭ। ଜନଜାତି କଳା, ସଂସ୍କୃତି, ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ଓ ପ୍ରସାର ପାଇଁ ପ୍ରସ୍ତୁତ ଏହି ପ୍ଲାଟଫର୍ମରେ ଏକ ଡିଜିଟାଲ୍ ଏକାଡେମୀ ରହିଛି, ଯେଉଁଥିରେ ଜନଜାତି କଳାକୁ ନେଇ ମାଗଣା ସାର୍ଟିଫିକେଟ୍ ଏବଂ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ୍ (UGC) ମାନ୍ୟତାପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହା ସହିତ ଜନଜାତି ସାହିତ୍ୟ, ମୌଖିକ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ୍ ଆର୍କାଇଭ୍ (Heritage archieve) ମଧ୍ୟ ରହିଛି ।
ଏହି ଅବସରରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଓ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ, ବାରାଣସୀ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହା ଅନ୍ତର୍ଗତ ଟ୍ରାଇବ୍ଏକ୍ସ (TribeX) ମାଧ୍ୟମରେ ଜନଜାତି ଭାଷା, ପାରମ୍ପରିକ ଜ୍ଞାନ, କଳା, ବୟନକଳା ଓ ସଂଗ୍ରହାଳୟ ବିଜ୍ଞାନ (Museology) କ୍ଷେତ୍ରରେ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ୍ (UGC) ମାନ୍ୟତାପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ । ଏହା ସହିତ ଭୁବନେଶ୍ୱରସ୍ଥିତ କିଟ୍ ଟେକ୍ନୋଲୋଜି ବିଜନେସ୍ ଇନ୍କ୍ୟୁବେଟର (KIIT Technology Business Incubator – KIIT-TBI) ସହ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଏହା ମାଧ୍ୟମରେ ଜନଜାତି ଉଦ୍ୟୋଗୀମାନଙ୍କୁ ଚିହ୍ନଟ, ପ୍ରଶିକ୍ଷଣ, ପରାମର୍ଶ, ବଜାର ସଂଯୋଗ ଏବଂ ଅର୍ଥ ସହାୟତା ପ୍ରାପ୍ତିରେ ସହଯୋଗ କରାଯିବ।
ଏହି ଅବସରରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ କହିଥିଲେ ଯେ, “ଭାରତର ଜନଜାତି ସମ୍ପ୍ରଦାୟ ପାଖରେ ଭାଷା, ଉପଭାଷା, ଏବଂ ସ୍ୱଦେଶୀ ଜ୍ଞାନର ଏକ ଅମୂଲ୍ୟ ଭଣ୍ଡାର ରହିଛି, ଯାହାକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ କରିବା ଆବଶ୍ୟକ। ଅନେକ ଜନଜାତି ଭାଷାର ଲିପି ଥିଲେ ମଧ୍ୟ ଅନେକ ଉପଭାଷା କେବଳ ମୌଖିକ ପରମ୍ପରାରେ ବଞ୍ଚି ରହିଛି। ସେଥିପାଇଁ ସେଗୁଡ଼ିକର ସୁସଂଗଠିତ ଦସ୍ତାବିଜୀକରଣ ଜାତୀୟ ପ୍ରାଥମିକତା ହେବା ଉଚିତ। ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ମାନେ ସମ୍ପ୍ରଦାୟ ସହ ଯୋଡ଼ି ହୋଇ ସେମାନଙ୍କ ଭାଷା ଓ ପାରମ୍ପରିକ ଜ୍ଞାନକୁ ଲିପିବଦ୍ଧ କରିବା ସହିତ ବିଭିନ୍ନ ରାଜ୍ୟର ଉତ୍ତମ ଅଭ୍ୟାସଗୁଡ଼ିକର ଆଦାନପ୍ରଦାନ କରିବା ଆବଶ୍ୟକ।”
କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ ଅଭିଭାଷଣ ରେ କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପିଏମ୍ ଜନମନ୍ (PM JANMAN), ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଏବଂ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ଭଳି ପଦକ୍ଷେପ ମାଧ୍ୟମରେ ଜନଜାତି ବିକାଶ ‘ବିକଶିତ ଭାରତ@୨୦୪୭’ର ଏକ ଅଭିନ୍ନ ଅଂଶ ପାଲଟିଛି। ବର୍ତ୍ତମାନ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ମାନେ ଜନଜାତି ଜୀବିକା, ମହିଳା ସଶକ୍ତୀକରଣ, ବନାଧିକାର ଆଇନର କାର୍ଯ୍ୟକାରିତା ଭଳି ଅନେକ ବିଷୟ ଉପରେ ଗବେଷଣା କରିବା ଉଚିତ। ଗବେଷଣାର ପ୍ରକୃତ ମୂଲ୍ୟ ସେତେବେଳେ ସାର୍ଥକ ହୁଏ, ଯେତେବେଳେ ତାହା ନୀତି ନିର୍ଦ୍ଧାରଣ ମାଧ୍ୟମରେ ଜନଜାତି ପରିବାରମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣେ।”
ନୀତି ଆୟୋଗର ସଦସ୍ୟ ଡ. ଆର୍. ବାଳସୁବ୍ରମଣ୍ୟମ୍ କହିଥିଲେ ଯେ, “ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ଗୁଡ଼ିକ କେବଳ ଗବେଷଣା ସଂସ୍ଥା ନୁହେଁ, ବରଂ ସ୍ୱଦେଶୀ ଜ୍ଞାନର ସଂରକ୍ଷଣ ଏବଂ ନବସୃଜନର କେନ୍ଦ୍ରରେ ପରିଣତ ହେବା ଦରକାର। ଗବେଷଣାରେ ଜନଜାତି ସମ୍ପ୍ରଦାୟର ଅନୁଭବ ଓ ପାରମ୍ପରିକ ଜ୍ଞାନ ପ୍ରତିଫଳିତ ହେବା ସହିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଯୁଗରେ ତଥ୍ୟକୁ ସମ୍ପ୍ରଦାୟର ବାସ୍ତବତା ସହ ଯୋଡ଼ିବା ଆବଶ୍ୟକ।
ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, “ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ମାନେ ଡିଜିଟାଲ୍ ଜ୍ଞାନ ଏବଂ ବହୁବିଷୟକ ଗବେଷଣାର କେନ୍ଦ୍ରରେ ପରିଣତ ହେବା ଦରକାର। ଜନଜାତି ଶିକ୍ଷା, ପୁଷ୍ଟି, ସ୍ୱାସ୍ଥ୍ୟ, ସ୍ଥାନାନ୍ତରଣ, ଜଳବାୟୁ ସହନଶୀଳତା, ବନାଧାରିତ ଜୀବିକା ଏବଂ ଭାଷା ସଂରକ୍ଷଣ ଭଳି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ସେଥିସହ ଡିଜିଟାଲ୍ ଡକ୍ୟୁମେଣ୍ଟେସନ୍, ଜିଓଗ୍ରାଫିକ୍ ଇନଫର୍ମେସନ୍ ସିଷ୍ଟମ୍ (GIS) ଆଧାରିତ ମ୍ୟାପିଂ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଭିତ୍ତିକ ବିଶ୍ଳେଷଣ ଭଳି ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରି ଜନଜାତି ସମ୍ପ୍ରଦାୟକୁ ଗବେଷଣାର ସକ୍ରିୟ ଅଂଶୀଦାର କରିବା ଆବଶ୍ୟକ।”
କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା କହିଥିଲେ ଯେ, ଜନଜାତି ବିକାଶ ସହିତ ଜନଜାତି ଐତିହ୍ୟର ସଂରକ୍ଷଣ, ସାମ୍ବିଧାନିକ ଅଧିକାରର ସୁରକ୍ଷା ଏବଂ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ପାଇଁ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs)ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି କର୍ମଶାଳା TRIs ମାନଙ୍କ ମଧ୍ୟରେ ଅଭିଜ୍ଞତା ଓ ଉତ୍ତମ ଅଭ୍ୟାସର ଆଦାନପ୍ରଦାନ ସହ ସେଗୁଡ଼ିକୁ ଜ୍ଞାନ, ଗବେଷଣା ଓ ନୀତି ସହାୟତାର ସଶକ୍ତ କେନ୍ଦ୍ରରେ ପରିଣତ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବ।
ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-କମ୍-ସଚିବ ଶ୍ରୀ ବି. ପରମେଶ୍ୱରନ ସ୍ୱାଗତ ଭାଷଣରେ ଓଡ଼ିଶାର ସମୃଦ୍ଧ ଜନଜାତି ଐତିହ୍ୟ ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କର୍ମଶାଳା ଦେଶର ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ମାନଙ୍କୁ ଆହୁରି ସଶକ୍ତ କରିବା ଦିଗରେ ମୂଲ୍ୟବାନ ସୁପାରିଶ ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଧନ୍ୟବାଦ ଅର୍ପଣ କରି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଅନନ୍ତ ପ୍ରକାଶ ପାଣ୍ଡେ କହିଥିଲେ ଯେ, ଏହି କର୍ମଶାଳା ଜନଜାତି ଗବେଷଣା ପ୍ରତିଷ୍ଠାନ ଗୁଡ଼ିକର ପୁନର୍ଗଠନ ଦିଗରେ ଏକ ଦୃଢ଼ ଭିତ୍ତି ସୃଷ୍ଟି କରିବ। ଏହା ଦେଶବ୍ୟାପୀ ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ ସହିତ ବିକଶିତ ଭାରତ@୨୦୪୭ ର ଲକ୍ଷ୍ୟ ହାସଲରେ ସହାୟକ ହେବ।
ପ୍ରଥମ ଦିନର ବୈଷୟିକ ଅଧିବେଶନରେ ଦେଶର ବିଭିନ୍ନ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ସେମାନଙ୍କ ସଫଳତା, ଉତ୍ତମ ଅଭ୍ୟାସ ଏବଂ ଅନୁଷ୍ଠାନିକ ଚ୍ୟାଲେଞ୍ଜ ଉପସ୍ଥାପନ କରିଥିଲେ। ଏହା ପରେ ନୀତି ନିର୍ଦ୍ଧାରଣରେ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ଅଂଶଗ୍ରହଣକାରୀମାନେ ଚାରିଟି ବିଷୟଭିତ୍ତିକ କାର୍ଯ୍ୟଦଳରେ ବିଭକ୍ତ ହୋଇ ଆଲୋଚନା କରିଥିଲେ। ବିଷୟଗୁଡ଼ିକ ଥିଲା— ଜ୍ଞାନ ଓ ସାଂସ୍କୃତିକ ସମ୍ବଳ କେନ୍ଦ୍ର ଭାବେ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs), ଜନଜାତି ବିକାଶ ପାଇଁ ଗବେଷଣା, ଦସ୍ତାବିଜୀକରଣ ଓ ପ୍ରମାଣ ସୃଷ୍ଟି, ପ୍ରଯୁକ୍ତି, ଜିଓଗ୍ରାଫିକ୍ ଇନଫର୍ମେସନ୍ ସିଷ୍ଟମ୍ (GIS), ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ନବସୃଜନର ସମନ୍ୱୟ, ଏବଂ ଅନୁଷ୍ଠାନିକ ସଶକ୍ତୀକରଣ, ମାନବ ସମ୍ବଳ, ସୁଶାସନ ଓ ଭାଗୀଦାରି।
ସମାପନୀ ଅଧିବେଶନରେ ଗବେଷଣା ପରିବେଶ, ଅନୁଷ୍ଠାନିକ ସଂସ୍କାର ଏବଂ ଡିଜିଟାଲ୍ ରୂପାନ୍ତରଣ ଉପରେ ବିଶେଷଜ୍ଞମାନଙ୍କ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହେବ। ଶେଷରେ ଭୁବନେଶ୍ୱର ଡିକ୍ଲାରେସନ୍ (Bhubaneswar Declaration) ଗ୍ରହଣ ସହିତ ଦେଶବ୍ୟାପୀ ଜନଜାତି ଗବେଷଣା ପ୍ରତିଷ୍ଠାନ (TRIs) ମାନଙ୍କ ସଶକ୍ତୀକରଣ ପାଇଁ ଏକ ସାମୂହିକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ।