ନେପାଳରେ ମହାପ୍ରଳୟ, ଭାରତରେ ହାଇ ଆଲର୍ଟ

ଭାସିଗଲା ଶତାଧିକ ଅଟ୍ଟାଳିକା, ୧୦୫ ଭାରତୀୟ ସମେତ ୫୧୬ ନିଖୋଜ

କାଠମାଣ୍ଡୁ, ୨୬/୦୮: ନେପାଳରେ ମହାପ୍ରଳୟ ଆଣିଛି ଆକସ୍ମିକ ବନ୍ୟା। ଉତ୍ତର ରସୁୱା ଜିଲ୍ଲା ଏବଂ ତିବ୍ଦତ ସୀମାନ୍ତ ଅଞ୍ଚଳରେ ବୁଧବାର ସକାଳେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟା (ଫ୍ଲାସ୍ ଫ୍ଲଡ୍) ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ନଦୀର ପ୍ରବଳ ସ୍ରୋତରେ ଗାଁ, ଘରଦ୍ୱାର, ପୋଲ, ଗାଡ଼ି ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ଭାସିଯାଇଛି। ଶତାଧିକ ସୁଉଚ୍ଚ ଅଟ୍ଟାଳିକା ମଧ୍ୟ ତାସ ଭଳି ଭାସି ଯାଉଥିବାର ନଜର ଆସିଛି।

ଏହି ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦୫ ଜଣ ଭାରତୀୟ ନାଗରିକଙ୍କ ସମେତ ୩୮୪ ରୁ ଅଧିକ ପର୍ଯ୍ୟଟକଙ୍କୁ ମିଶାଇ ମୋଟ ୫୧୬ ଜଣ ନିଖୋଜ ଥିବା ସୂଚନା ମିଳିଛି।

ନେପାଳ ଟୁରିଜିମ୍ ବୋର୍ଡର ତଥ୍ୟ ଅନୁଯାୟୀ, ନିଖୋଜ ଥିବା ୩୮୪ ଜଣଙ୍କ ମଧ୍ୟରୁ ୧୦୫ ଜଣ ଭାରତୀୟ ଏବଂ ୩୭ ଜଣ ଏନଆରଆଇ ରହିଛନ୍ତି। କୈଳାସ ମାନସରୋବର ଯାତ୍ରାରେ ଯାଇଥିବା ଅନେକ ଭାରତୀୟ ଶ୍ରଦ୍ଧାଳୁ ଏହି ବନ୍ୟା ଯୋଗୁଁ ସେଠାରେ ଫସି ଯାଇଛନ୍ତି।

ସକାଳ ପ୍ରାୟ ୯ଟା ସମୟରେ ତିବ୍ଦତ ଆଡ଼ୁ ଭୋଟେ କୋଶୀ ନଦୀରେ ଅଚାନକ ପ୍ରବଳ ବନ୍ୟାଜଳ ମାଡ଼ି ଆସିଥିଲା। ଏଥିଯୋଗୁଁ ରସୁୱାଗଢ଼ି, ତିମୁରେ ଏବଂ ସ୍ୟାଫ୍ରୁବେସି ଅଞ୍ଚଳରେ ଥିବା ବଜାର, ଚେକ୍ ପୋଷ୍ଟ ଓ ସମ୍ପୂର୍ଣ୍ଣ ସୀମାନ୍ତ ଗାଁ ଭାସିଯାଇଛି।

ନେପାଳ ସେନା ଏବଂ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ କେତେକ ଅଞ୍ଚଳରେ ପ୍ରବଳ ଜଳସ୍ରୋତ ଓ ଖରାପ ପାଗ ଯୋଗୁଁ ହେଲିକପ୍ଟର ଅବତରଣ କରିପାରୁନାହିଁ।

ତିବ୍ଦତ ପାଶ୍ୱର୍ରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍ଖଳନ କିମ୍ବା ଗ୍ଲିସେରିନ ଲେକ୍ ଫାଟିବା ଯୋଗୁଁ ଏହି ଆକସ୍ମିକ ବନ୍ୟା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି।

ନେପାଳରୁ ପ୍ରବାହିତ ବନ୍ୟାଜଳ ଭାରତ ଆଡ଼କୁ ମାଡ଼ି ଆସୁଥିବାରୁ ବିହାର ଏବଂ ଉତ୍ତର ପ୍ରଦେଶ ସରକାର ସୀମାନ୍ତ ଜିଲ୍ଲାଗୁଡ଼ିକରେ ହାଇଆଲର୍ଟ ଜାରି କରିଛନ୍ତି। ବିହାରର ଗଣ୍ଡକ ଏବଂ କୋଶୀ ନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଭଳି ସୀମାନ୍ତ ଜିଲ୍ଲାଗୁଡ଼ିକରେ ପ୍ରଶାସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ନେପାଳରେ ଫସିରହିଥିବା ଭାରତୀୟଙ୍କ ସମ୍ପର୍କୀୟମାନେ ତଥ୍ୟ ଓ ସହାୟତା ପାଇଁ ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।ନେପାଳସ୍ଥିତ ଭାରତୀୟ ଦୂତାବାସ: +977 985 131 6807, +977 970 910 7500। ନେପାଳ ଟୁରିଜିମ୍ ହେଲ୍ପଲାଇନ୍: 1144 / 1234।

ଅନ୍ୟପଟେ ନେପାଳ ବନ୍ୟାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହଙ୍କ ସହ କଥା ହୋଇଛନ୍ତି ମୋଦି। ନେପାଳ ଭାଇଭଉଣୀଙ୍କ ସହ ଭାରତବାସୀ ରହିଛନ୍ତି ବୋଲି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।ଭାରତ ପକ୍ଷରୁ ମାନବିକ ସହାୟତା ଯୋଗାଇ ଦିଆଯାଇଥିବା କହିଛନ୍ତି।