ନୂଆଦିଲ୍ଲୀ, ୨୬/୦୮: ଇରାନର ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ ବ୍ୟବସାୟକୁ ନେଇ ଆମେରିକା ପୁଣିଥରେ ବଡ଼ ପଦକ୍ଷେପ ନେଇଛି। ଇରାନ ସହ ତେଲ ଓ ପେଟ୍ରୋକେମିକାଲ ବାଣିଜ୍ୟ କରୁଥିବାରୁ ଭାରତର ୪ଟି କମ୍ପାନୀ ଏବଂ ୩ ଜଣ ଭାରତୀୟ ନାଗରିକଙ୍କ ଉପରେ ଆମେରିକା କଟକଣା ଲଗାଇଛି। ଏହି ପଦକ୍ଷେପ ଆମେରିକାର ନୂଆ ‘ଅପରେସନ ଇକୋନୋମିକ ଆଇଟକାଷ୍ଟ’ ଅଭିଯାନର ଅଂଶ।
ଆମେରିକାର ଅଭିଯୋଗ ଅନୁସାରେ, ଏହି କମ୍ପାନୀଗୁଡ଼ିକ ଇରାନରୁ ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ ଉତ୍ପାଦ ଆମଦାନି କିମ୍ବା ସେ ସମ୍ବନ୍ଧୀୟ ବାଣିଜ୍ୟିକ କାରବାରରେ ଜଡ଼ିତ ଥିଲେ। ଏହି କାରବାରର ମୋଟ ମୂଲ୍ୟ ପ୍ରାୟ ୧୧୯ ମିଲିୟନ୍ ଡଲାର ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି।
କଟକଣା ଲଗାଇଥିବା ୪ଟି ଭାରତୀୟ କମ୍ପାନୀ ହେଉଛି ପୋର୍ଟିଜ ପାର୍ଟନରସ ଏଲଏଲପି, ସଦାଶିବ ଓଭରସିଜ ଲିମିଟେଡ, ପିପି ସଫ୍ଟଟେକ ପ୍ରାଇଭେଟ୍ ଲିମିଟେଡ, ପ୍ରକୃତିଜ୍ ଇନଫ୍ରା ଇମ୍ପେକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ।
ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ଅନୁସାରେ, ପୋର୍ଟିଜ ଇରାନରୁ ଭାରତକୁ ପେଟ୍ରୋକେମିକାଲ ଉତ୍ପାଦ ଆସିବାରେ ଏକାଧିକ ଚାଲାଣକୁ ସହାୟତା କରିଥିବା ଅଭିଯୋଗ ରହିଛି।
ସଦାଶିବ ଓଭରସିଜ ଲିମିଟେଡ ଉପରେ ୨୦୨୪ ଫେବ୍ରୁଆରୀରୁ ୨୦୨୫ ଜୁନ୍ ମଧ୍ୟରେ ପ୍ରାୟ ୬୯ ମିଲିୟନ୍ ଡଲାର ମୂଲ୍ୟର ଇରାନର ପେଟ୍ରୋଲିୟମ ଉତ୍ପାଦ ଆମଦାନି କରିଥିବା ଅଭିଯୋଗ ରହିଛି।
ପିପି ସଫ୍ଟଟେକ ପ୍ରାଇଭେଟ୍ ଲିମିଟେଡ ଉପରେ ୨୦୨୪ ଜାନୁଆରୀରୁ ୨୦୨୫ ଜୁନ୍ ମଧ୍ୟରେ ପ୍ରାୟ ୨୫ ମିଲିୟନ୍ ଡଲାର ମୂଲ୍ୟର ଇରାନୀୟ ପେଟ୍ରୋଲିୟମ ଉତ୍ପାଦ ଆମଦାନି କରିଥିବା ଅଭିଯୋଗ ହୋଇଛି।
ସେହିପରି ପ୍ରକୃତିଜ୍ ଇନଫ୍ରା ଇମ୍ପେକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଉପରେ ୨୦୨୩ ମେ’ରୁ ୨୦୨୬ ଫେବ୍ରୁଆରୀ ମଧ୍ୟରେ ପ୍ରାୟ ୨୫ ମିଲିୟନ୍ ଡଲାର ମୂଲ୍ୟର ଇରାନୀୟ ପେଟ୍ରୋଲିୟମ ଉତ୍ପାଦ ଆମଦାନି କରିଥିବା ଆମେରିକା ଅଭିଯୋଗ କରିଛି।
କେବଳ କମ୍ପାନୀ ନୁହେଁ, ସେମାନଙ୍କ ସହ ଜଡ଼ିତ ୩ ଜଣ ଭାରତୀୟ ନାଗରିକଙ୍କୁ ମଧ୍ୟ ଆମେରିକା କଟକଣା ତାଲିକାରେ ସାମିଲ କରିଛି। ପୋର୍ଟିଜ ପାର୍ଟନର୍ସ ସହ ଜଡ଼ିତ ଇନ୍ଦ୍ରିସମିୟା ଅସରଫମିୟା ଶେଖ୍ ଓ ହରିଶ ରାମଚନ୍ଦ୍ର ରଙ୍ଗି ଏବଂ ପିପି ସଫ୍ଟଟେକର ନିର୍ଦ୍ଦେଶକ ପ୍ରଶାନ୍ତ ଗର୍ଗଙ୍କ ନାମ ଏହି ତାଲିକାରେ ରହିଛି।
‘ଅପରେସନ ଇକୋନୋମିକ ଆଉଟକାଷ୍ଟ’ କ’ଣ?
ଇରାନର ଆର୍ଥିକ ଆୟର ମୁଖ୍ୟ ଉତ୍ସଗୁଡ଼ିକୁ ଚାପରେ ରଖିବା ଏବଂ ତେହରାନର ଆନ୍ତର୍ଜାତିକ ଆର୍ଥିକ ନେଟୱର୍କକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଆମେରିକା ଏହି ନୂଆ ଅଭିଯାନ ଆରମ୍ଭ କରିଛି। ଏଥିରେ ଇରାନ ସହ ଜଡ଼ିତ ତେଲ ବ୍ୟବସାୟ, ଶିପିଂ, ଟେକ୍ନୋଲୋଜି, ସୁନା ଓ ଡିଜିଟାଲ୍ ଆସେଟ୍ ସମେତ ବିଭିନ୍ନ କ୍ଷେତ୍ରକୁ ଟାର୍ଗେଟ୍ କରାଯାଉଛି। ଆମେରିକା ଏହି ଅଭିଯାନ ମାଧ୍ୟମରେ ଇରାନର ତେଲ ବିକ୍ରିରୁ ହେଉଥିବା ଆୟକୁ କମାଇବାକୁ ଚାହୁଁଛି।