ବିଶ୍ୱଗୁରୁ ଓଡ଼ିଶା: ଶିଖୁଛି ସାରା ବିଶ୍ୱ

ସୁପର ସାଇକ୍ଲୋନରୁ ଶିଖିଥିବା ଓଡ଼ିଶା ଏବେ ବିଶ୍ୱକୁ ଶିଖାଉଛି

କାହିଁକି ସଫଳ ଓଡ଼ିଶା ମଡେଲ

ଭୁବନେଶ୍ୱର, ୦୯/୦୭: ଯେତେବେଳେ ବିପର୍ଯ୍ୟୟ ପରିଚାଳନା କଥା ଆସେ, ସେତେବେଳେ ସାରା ବିଶ୍ବରେ ସବୁଠୁ ଆଗରେ ରୁହେ ଓଡ଼ିଶା। ସଫଳ ବିପର୍ଯ୍ୟୟ ପରିଚାଳନା ମଡେଲ ପାଇଁ ଓଡ଼ିଶା ବେଶ ଜଣାଶୁଣା। ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପଦର ସଫଳ ମୁକାବିଲା କରି ଓଡ଼ିଶା ବିଶ୍ୱସ୍ତରରେ ଏକ ଆଦର୍ଶ ବିପର୍ଯ୍ୟୟ ପରିଚାଳନା ମଡେଲ ସୃଷ୍ଟି କରିଛି। ବିଶେଷକରି “ଜିରୋ କାଜୁଆଲିଟି” ବା “ଶୂନ୍ୟ କିମ୍ବା ସର୍ବନିମ୍ନ ଜୀବନହାନି” ନୀତି ରାଜ୍ୟକୁ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ଦେଇଛି। ବିପର୍ଯ୍ୟୟ ପରେ ଉଦ୍ଧାର, ରିଲିଫ୍, ପୁନର୍ବାସ, ଲୋକଙ୍କ ସ୍ଥାନାନ୍ତରଣ ଓ ଦୀର୍ଘମିଆଦି ପୁନଃନିର୍ମାଣରେ ଓଡ଼ିଶା ଅନେକ ସଫଳତା ହାସଲ କରିଛି।

ଏହି କାରଣରୁ ଅନେକ ଦେଶ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ବିଷୟରେ ଆଗ୍ରହ ପ୍ରକାଶ କରିଆସୁଛନ୍ତି। ସେହି ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କ ନାଁ ପୁଣିଥରେ ଚର୍ଚ୍ଚାକୁ ଆସିଛି, କାରଣ ସେ ଦୀର୍ଘଦିନ ଧରି ଓଡ଼ିଶାର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ ଏବଂ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ଅନେକ କାର୍ଯ୍ୟକ୍ରମର ସମନ୍ୱୟରେ ତାଙ୍କ ଭୂମିକା ଥିବା ଆଲୋଚନା ହୋଇଥାଏ।

ଦୁଇ ସପ୍ତାହ ପୂର୍ବେ ଦୁଇଟି ଭୟଙ୍କର ଭୂମିକମ୍ପରୁ ବର୍ତ୍ତିଯାଇଥିବା ଭେନେଜୁଏଲା ଏବେ ଓଡ଼ିଶାର ମଡେଲକୁ ଆପଣାଇବାକୁ ଚେଷ୍ଟା କରିଛି। ସେଥିପାଇଁ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ ଉପକୂଳ ରାଜ୍ୟର “ଶୂନ୍ୟ ଦୁର୍ଘଟଣା” ବିପର୍ଯ୍ୟୟ ପରିଚାଳନା ମଡେଲ ବିଷୟରେ ଜାଣିବା ପାଇଁ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ ପାଣ୍ଡିଆନଙ୍କୁ ନିମନ୍ତ୍ରଣ କରିଛନ୍ତି।

୨୦୨୪ରେ ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସାର୍ବଜନୀନ ଉପସ୍ଥିତି ଏବଂ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ ପାଣ୍ଡିଆନ। ହେଲେ ଦୁଇ ବର୍ଷ ପରେ ପାଣ୍ଡିଆନଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ସୃଷ୍ଟି ହୋଇଛି।

କାହିଁକି ପାଣ୍ଡିଆନଙ୍କୁ ନିମନ୍ତ୍ରଣ କଲେ ଡେଲସି?

ଚଳିତ ସପ୍ତାହ ପ୍ରାରମ୍ଭରେ ପାଣ୍ଡିଆନ ଭେନେଜୁଏଲା ଗସ୍ତ କରିଥିଲେ। ଯେଉଁଥିରେ ଭୂମିକମ୍ପ ହୋଇ ପ୍ରାୟ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଲାଟିନ୍ ଆମେରିକୀୟ ଦେଶର ଅଧିକାଂଶ ଅଂଶ ଧ୍ୱଂସାବଶେଷରେ ପରିଣତ ହୋଇଥିଲା। ବହୁତଳ କୋଠା ଧ୍ୱଂସସ୍ତୂପ ପାଲଟିଥିଲା। ଏବେ ଯାଏଁ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ସଫା କରାଯାଉଛି‌। ଏହି ସମୟରେ ପାଣ୍ଡିଆନ୍ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟରେ ସାମିଲ ଦଳଗୁଡ଼ିକ ସହିତ କାମ କରୁଥିବା ମଧ୍ୟ ଦେଖାଦେଇଛି।

ପରେ ପାଣ୍ଡିଆନ୍ ରୋଡ୍ରିଗେଜଙ୍କୁ ଭେଟିଥିଲେ, ଯେଉଁଠାରେ ସେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାର ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପଦ୍ଧତି ବିଷୟରେ ଆଲୋଚନା କରିଥିଲେ। ଭେନେଜୁଏଲାରେ ଘଟିଥିବା ବିନାଶକାରୀ ବିପର୍ଯ୍ୟୟ ପରେ ସେଠାର କର୍ତ୍ତୃପକ୍ଷ ଓଡ଼ିଶାର ଅନୁଭବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଭି.କେ. ପାଣ୍ଡିଆନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ। ଉଦ୍ଧାର, ପୁନରୁଦ୍ଧାର ଏବଂ ପୁନର୍ବାସ ଉପରେ ଅଭିଜ୍ଞତା ଆଦାନପ୍ରଦାନ କରାଯାଇଛି। ବିପର୍ଯ୍ୟୟ ପ୍ରଶମନରେ ତୁରନ୍ତ ଏବଂ ଦୀର୍ଘକାଳୀନ ପରିଚାଳନା ଉପରେ ଆଲୋଚନା କରାଯାଇଛି।

ଭି.କେ. ପାଣ୍ଡିଆନ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାମ କରିବା ସମୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, କ୍ଷେତ୍ରସ୍ତରର ସମୀକ୍ଷା ଓ ଦ୍ରୁତ ନିଷ୍ପତ୍ତି ନେବାରେ ସକ୍ରିୟ ଥିଲେ। ବିପର୍ଯ୍ୟୟ ସମୟରେ ସରକାରୀ ପ୍ରତିକ୍ରିୟାକୁ ତ୍ୱରାନ୍ୱିତ କରିବାରେ ତାଙ୍କ ଭୂମିକା ବିଷୟରେ ଅନେକ ବିଶେଷଜ୍ଞ ଆଲୋଚନା କରିଛନ୍ତି। ସେହି ଅଭିଜ୍ଞତା ହିଁ ତାଙ୍କୁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଚର୍ଚ୍ଚାରେ ରଖିଛି।

କାହିଁକି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ବିଶ୍ୱରେ ଏତେ ଚର୍ଚ୍ଚିତ?

୧୯୯୯ର ମହାବାତ୍ୟା: ଏକ କଠିନ ଶିକ୍ଷା

୧୯୯୯ ଅକ୍ଟୋବର ୨୯। ଓଡ଼ିଶା ଇତିହାସର ସବୁଠାରୁ କଳାଦିନ। ଘଣ୍ଟାପ୍ରତି ୨୬୦ କିଲୋମିଟରରୁ ଅଧିକ ବେଗରେ ବହିଥିବା ସୁପର ସାଇକ୍ଲୋନ ସମଗ୍ର ଉପକୂଳକୁ ଛାରଖାର କରିଦେଇଥିଲା। ସରକାରୀ ଆକଳନ ଅନୁଯାୟୀ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଲକ୍ଷ ଲକ୍ଷ ଘର ଭାଙ୍ଗିଯାଇଥିଲା, କୃଷି, ପଶୁସମ୍ପଦ ଓ ଭିତ୍ତିଭୂମିର ଅପୂରଣୀୟ କ୍ଷତି ଘଟିଥିଲା।

ଏହି ଦୁର୍ଘଟଣା ଓଡ଼ିଶାକୁ ଗୋଟିଏ ବଡ଼ ଶିକ୍ଷା ଦେଇଥିଲା—ବିପର୍ଯ୍ୟୟ ପରେ ଉଦ୍ଧାର କାର୍ଯ୍ୟ ଅପେକ୍ଷା ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି ଅଧିକ ଜରୁରୀ।

ସୁପର ସାଇକ୍ଲୋନ ପରେ ଓଡ଼ିଶା ସରକାର କେବଳ ରିଲିଫ୍ ବଣ୍ଟନରେ ସୀମିତ ରହିଲେ ନାହିଁ। ଏକ ସ୍ଥାୟୀ ଓ ବୈଜ୍ଞାନିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଢ଼ି ତୋଳିବାକୁ ନିଷ୍ପତ୍ତି ନେଲେ। ଏହାର ପରିଣାମ ସ୍ୱରୂପ ଗଠନ ହେଲା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA)।

ଏହା କେବଳ ଗୋଟିଏ ସରକାରୀ ସଂସ୍ଥା ନୁହେଁ, ବରଂ ବିପର୍ଯ୍ୟୟକୁ ନେଇ ଚିନ୍ତାଧାରାର ଏକ ନୂଆ ଦିଗ ଥିଲା। ଲକ୍ଷ୍ୟ ଥିଲା—“ମୃତ୍ୟୁକୁ ନୁହେଁ, ବିପଦକୁ ରୋକିବା।”

ଓଡ଼ିଶାର “ଜିରୋ କାଜୁଆଲିଟି” ନୀତିର ଅର୍ଥ ହେଉଛି, ବିପର୍ଯ୍ୟୟ ଆସିବା ପୂର୍ବରୁ ପ୍ରତ୍ୟେକ ସମ୍ଭାବ୍ୟ ବିପଦଗ୍ରସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା।

ଏହି ନୀତି ଅନୁସାରେ ପାଣି, ଖାଦ୍ୟ, ଚିକିତ୍ସା, ପାନୀୟ ଜଳ, ବିଦ୍ୟୁତ, ଯୋଗାଯୋଗ ଏବଂ ଉଦ୍ଧାର ବ୍ୟବସ୍ଥା ପୂର୍ବରୁ ପ୍ରସ୍ତୁତ ରଖାଯାଏ। ତେଣୁ ବିପର୍ଯ୍ୟୟ ଆସିବା ପରେ ନୁହେଁ, ତା’ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଏ।

ଓଡ଼ିଶାର ସବୁଠାରୁ ବଡ଼ ସଫଳତା ହେଉଛି ବିପଦ ପୂର୍ବରୁ ବ୍ୟାପକ ସ୍ଥାନାନ୍ତରଣ। ବାତ୍ୟା ଆସିବାର ୨୪ରୁ ୪୮ ଘଣ୍ଟା ପୂର୍ବରୁ ପ୍ରଶାସନ ଘରେ ଘରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ଆଶ୍ରୟକୁ ନେଇଯାଏ।

ବିପର୍ଯ୍ୟୟ ପରିଚାଳନାରେ ସମୟ ସବୁଠାରୁ ମୂଲ୍ୟବାନ। ସେଥିପାଇଁ ଓଡ଼ିଶା ଆଗୁଆ ସତର୍କତା ବ୍ୟବସ୍ଥାକୁ ଶକ୍ତିଶାଳୀ କରିଛି। ସାଇରନ, ମୋବାଇଲ୍ ମେସେଜ୍, ରେଡିଓ, ଟେଲିଭିଜନ, ଲାଉଡସ୍ପିକର ଓ ସ୍ୱେଚ୍ଛାସେବକଙ୍କ ମାଧ୍ୟମରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଶେଷ ମାଇଲ ପର୍ଯ୍ୟନ୍ତ ସୂଚନା ପହଞ୍ଚା ଯାଇଥାଏ।

ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ODRAF) ଆଜି ଦେଶର ଅନ୍ୟତମ ଦକ୍ଷ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଭାବେ ପରିଚିତ। ଏହି ବାହିନୀ ନିୟମିତ ମକ୍ ଡ୍ରିଲ୍ କରି ସର୍ବଦା ପ୍ରସ୍ତୁତ ରହେ।

ନିକଟରେ ଭୂମିକମ୍ପ ପରେ ଆସିଥିବା ବିପର୍ଯ୍ୟୟ ଯୋଗୁଁ ଭେନେଜୁଏଲାରେ ଲକ୍ଷାଧିକ ଲୋକ ବାସସ୍ଥାନ ହରାଇଛନ୍ତି। ଓଡ଼ିଶାର ଜିରୋ କାଜୁଆଲିଟି ମଡେଲ ହୁଏତ କିଛିକାଂଶରେ ଭେନେଜୁଏଲାକୁ କିପରି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତ ରହି ଏହାର ପ୍ରଭାବକୁ କମ କରିହେବ, ସେ ନେଇ କିଛି ଶିକ୍ଷା ଗ୍ରହଣ କରିପାରିବ।