ନେପାଳରେ ବନ୍ୟା; ଗଣ୍ଡକ ବ୍ୟାରେଜର ସମସ୍ତ ୩୬ଟି ଗେଟ୍ ଖୋଲା

ହାଇ ଆଲର୍ଟରେ ବିହାର ଓ ଉତ୍ତରପ୍ରଦେଶ

ନୂଆଦିଲ୍ଲୀ, ୨୭/୦୮: ନେପାଳ ବନ୍ୟାର ପ୍ରଭାବ ପଡ଼ୋଶୀ ବିହାରରେ ଚିନ୍ତା ସୃଷ୍ଟି କରିଛି, ଯେଉଁଠାରେ ନେପାଳରୁ ବନ୍ୟାଜଳ ଗଣ୍ଡକ ନଦୀ ପ୍ରଣାଳୀରେ ପ୍ରବେଶ କରିଛି। ବାଲ୍ମିକିନଗରରେ ଗଣ୍ଡକ ବ୍ୟାରେଜର ସମସ୍ତ ୩୬ଟି ଗେଟ୍ ଖୋଲାଯାଇଛି।

ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ସରନ, ମୁଜାଫରପୁର ଏବଂ ବୈଶାଳୀ ସହିତ ସୀତାମାଢ଼ି ଏବଂ ଶେଓହର ଭଳି ଦୁର୍ବଳ ଜିଲ୍ଲାଗୁଡ଼ିକରେ ବିଶେଷ ସତର୍କତା ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ନଦୀ, ବନ୍ଧ, ସେତୁ ଏବଂ ତଳିଆ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପୂର୍ବ ଉତ୍ତର ପ୍ରଦେଶରେ ଶାରଦା ଏବଂ ଘାଘରା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଲଖିମପୁର ଖେରୀ, ବହରାମପୁର, ଏବଂ ଗୋରଖପୁର ସୀମାବର୍ତ୍ତୀ ଅଞ୍ଚଳରେ ନଦୀ କୂଳଙ୍ଘି ଗାଁଗୁଡ଼ିକରେ ବନ୍ୟା ପାଣି ପଶିଛି।

ବିହାର ଓ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ NDRF ଏବଂ SDRF ଟିମ୍‌କୁ ମୁତୟନ କରାଯାଇଛି। ଜଳବନ୍ଦୀ ଲୋକଙ୍କୁ ଡଙ୍ଗା ସାହାଯ୍ୟରେ ଉଚ୍ଚ ସ୍ଥାନ ଓ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଉଛି।

ଅନ୍ୟପଟେ ତାମିଲନାଡୁର ୫୭ ପର୍ଯ୍ୟଟକ ନେପାଳ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣଙ୍କର ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ୨୦ ଜଣଙ୍କର ଖୋଜଖବର ମିଳିସାରିଛି। ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁଣେରୁ ଚାରି ଜଣ ପର୍ଯ୍ୟଟକ ନେପାଳ ଯାଇଥିବା ବେଳେ ସେମାନେ ସୁରକ୍ଷିତ ଥିବାର ଖବର ସାମନାକୁ ଆସିଛି। କେରଳ କହିଛି ଯେ ନେପାଳରେ ଯାତ୍ରା କରୁଥିବା ୩୬ ଜଣ ସଦସ୍ୟଙ୍କ ଏକ ଦଳ ସୁରକ୍ଷିତ ଏବଂ ପ୍ରଭାବିତ ଅଞ୍ଚଳରୁ ଦୂରରେ ଅଛି।