ଟ୍ରେନି ବିମାନ ଦୁର୍ଘଟଣା: ପାଇଲଟ୍ ଓ କୋ-ପାଇଲଟ୍ ମୃତ

ଦୁର୍ଘଟଣାର କାରଣ ଅସ୍ପଷ୍ଟ

କାନପୁର, ୨୭/୦୮: ଉତ୍ତରପ୍ରଦେଶର କାନପୁରରେ ଗୁରୁବାର ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ଗଙ୍ଗା ବ୍ୟାରେଜ୍ ନିକଟ ନଥୁପୁରୱା ଅଞ୍ଚଳର ଏକ ଖୋଲା ପଡ଼ିଆରେ ବିମାନଟି ଖସିପଡ଼ିଥିଲା। ଦୁର୍ଘଟଣାରେ ଜଣେ ଇନ୍‌ଷ୍ଟ୍ରକ୍ଟର ପାଇଲଟ୍ ଏବଂ ଜଣେ ଟ୍ରେନି ପାଇଲଟ୍ ପ୍ରାଣ ହରାଇଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ଏହା ଏକ ଟ୍ୱିନ୍-ଇଞ୍ଜିନ୍, ଚାରି ସିଟ୍ ବିଶିଷ୍ଟ ଟ୍ରେନିଂ ଏୟାରକ୍ରାଫ୍ଟ ଥିଲା। ବିମାନଟି କାନପୁରସ୍ଥିତ ଗର୍ଗ ଏଭିଏସନ ଟ୍ରେନିଂ ସେଣ୍ଟର୍ ରୁ ପ୍ରାୟ ସକାଳ ୧୧ଟା ୩୦ ମିନିଟ୍‌ରେ ଉଡ଼ାଣ ଆରମ୍ଭ କରିଥିଲା। ପ୍ରାୟ ୨୦ ମିନିଟ୍ ପରେ, ଟ୍ରେନିଂ ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ପାଇଲଟ୍‌ଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଯାଇ ପାରିନଥିଲା।

ମୃତକଙ୍କ ମଧ୍ୟରୁ ଇନ୍‌ଷ୍ଟ୍ରକ୍ଟର ପାଇଲଟ୍‌ଙ୍କର ପ୍ରାୟ ୩,୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିବା ପୋଲିସ କମିଶନର କହିଛନ୍ତି। ବିମାନଟି ୨୦୨୩ରେ ଟ୍ରେନିଂ ସେଣ୍ଟରକୁ ଆସିଥିବା ମଧ୍ୟ ସୂଚନା ମିଳିଛି।

ବିମାନ ଖସିପଡ଼ିବା ଖବର ପାଇବା ପରେ ପୋଲିସ, ପ୍ରଶାସନ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ଦୁର୍ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରାଯାଇଛି।

ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ସେ ମୃତ ପାଇଲଟଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ଏହି କଠିନ ସମୟରେ ଧୈର୍ଯ୍ୟ ଦେବା ପାଇଁ ପ୍ରାର୍ଥନା କରିଛନ୍ତି।