ଧ୍ୱଂସଲୀଳା ରଚିଲା ପ୍ରଳୟଙ୍କରୀ ବନ୍ୟା
୧୦ ଟନର ରିଲିଫ ସାମଗ୍ରୀ ପଠାଇଲା ଭାରତ
୧୬୫ ମୃତ, ୩୦୦ ଭାରତୀୟ ସମେତ ୧୫୦୦ରୁ ଉର୍ଦ୍ଧ୍ବ ନିଖୋଜ
ନୂଆଦିଲ୍ଲୀ, ୨୭/୦୮: ନେପାଳରେ ମହାପ୍ରଳୟ ରଚିଛି ବିନାଶକାରୀ ବନ୍ୟା। ନେପାଳରେ ଧ୍ୱଂସଲୀଳା ରଚିଛି। ବିପର୍ଯ୍ୟୟରେ ଶତାଧିକ ଲୋକଙ୍କ ଜୀବନ ହାନୀ ହେଲାଣି। ଜନବସତି ଆଡ଼କୁ ନଦୀର ସ୍ରୋତ ଓ କାଦୁଅ ମାଡ଼ି ଆସିବାରୁ ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଛି। ଅନେକ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି। ସୁଉଚ୍ଚ ଅଟ୍ଟାଳିକା ସହ ବଡ଼ ବଡ଼ ଘର ଓ ପୋଲ ବି ଭାସି ଯାଇଛି। ଏବେ ବି ଧ୍ୱଂସାବଶେଷ ଭିତରେ ଚାଲିଛି ଜୀବନ ଖୋଜା। ଅନେକ ଲୋକ ନିଖୋଜ ଥିବା ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ସେନା ସହ ପୋଲିସ ମଧ୍ୟ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି।
ନେପାଳ-ତିବ୍ବତ ସୀମାନ୍ତ ଅଞ୍ଚଳରେ ଆକସ୍ମିକ ବନ୍ୟାରେ ବ୍ୟାପକ ଧ୍ୱଂସ ଘଟିଛି। ନେପାଳ ପୁଲିସର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୬୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୫୦୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛ। ନିଖୋଜଙ୍କ ମଧ୍ୟରେ ୮୦୦ ଜଣ ବିଦେଶୀ ନାଗରିକ ଅଛନ୍ତି। ୩୦୦ ଭାରତୀୟ ନାଗରିକ ନିଖୋଜ ହୋଇଥିବା କହିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ।
ଅଗଷ୍ଟ ୨୬ ତାରିଖରେ ନେପାଳ-ତିବ୍ବତ ସୀମା ନିକଟରେ ଏକ ବିଶାଳ ବରଫ ପଥର ଧସିବା ପରେ ଏଭଳି ଘଟିଥିବା ଜଣାପଡ଼ିଛି। ଏହା ପରେ ଲହେଣ୍ଡେ ଖୋଲା ନଦୀରେ ବିପୁଳ ପରିମାଣର ବରଫ, ପଥର, କାଦୁଅ ଓ ପାଣି ପ୍ରବେଶ କରିଥିଲା। ଯାହା ଫଳରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇ ତଳୁଆ ଅଞ୍ଚଳକୁ ଦ୍ରୁତ ଗତିରେ ପ୍ରବାହିତ ହୋଇଥିଲା।
ନେପାଳର ରାସୁୱା ଓ ଧାଡିଂ ଜିଲ୍ଲାରେ ବନ୍ୟାର ପ୍ରଭାବ ସର୍ବାଧିକ ରହିଛି। ଟିମୁରେ ଓ ସ୍ୟାପ୍ରୁବେସି ଭଳି ଅଞ୍ଚଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଭୋଟେ କୋଶି ନଦୀରୁ ବନ୍ୟାଜଳ ଟ୍ରିଶୁଲି ନଦୀ ପ୍ରଣାଳୀରେ ପ୍ରବେଶ କରି ଅନେକ ଅଞ୍ଚଳକୁ ଭାସାଇ ନେଇଛି। ନୁୱାକୋଟ, ଚିତୱନ, ଗୋର୍ଖା, ତନାହୁଁ ଓ ନୱଲପରାସୀ ଇଷ୍ଟ ଭଳି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି।
ବନ୍ୟାରେ ରାସ୍ତା, ବ୍ରିଜ୍, ଘରଦ୍ୱାର ଓ ଜଳବିଦ୍ୟୁତ ପ୍ରକଳ୍ପ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ନେପାଳ ସରକାରଙ୍କ ଅନୁସାରେ ଅନେକ ବ୍ରିଜ୍ ଧୋଇଯାଇଛି। ଏହା ଯୋଗୁଁ ଉଦ୍ଧାରକାରୀ ଦଳଙ୍କ ପାଇଁ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ଏହି ଦୁର୍ଘଟଣାରେ ଅନେକ ବିଦେଶୀ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି। ନିଖୋଜ ଭାରତୀୟଙ୍କ ମଧ୍ୟରେ କୈଳାସ ମାନସରୋବର ଯାତ୍ରାରେ ଯାଇଥିବା ଲୋକ ମଧ୍ୟ ଥିବା ରିପୋର୍ଟ ଆସିଛି। ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ଅନ୍ୟ ଦେଶର ନାଗରିକ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି।
ବନ୍ୟାର ପ୍ରଭାବ କେବଳ ନେପାଳରେ ସୀମିତ ରହିନାହିଁ। ଚୀନ୍ର ତିବ୍ବତ ଅଞ୍ଚଳର ଗ୍ୟିରୋଙ୍ଗ କାଉଣ୍ଟି ଓ ସୀମାନ୍ତ ବନ୍ଦର ଅଞ୍ଚଳକୁ ମଧ୍ୟ ବନ୍ୟା ଓ କାଦୁଅ ପଶିଛି।
ନେପାଳରେ ପୁଲିସ, ସୁରକ୍ଷାବାହିନୀ ଓ ଉଦ୍ଧାରକାରୀ ଦଳ ନିଖୋଜଙ୍କ ସନ୍ଧାନ ଜାରି ରଖିଛନ୍ତି। ତେବେ ଅନେକ ଅଞ୍ଚଳରେ ରାସ୍ତା ଓ ବ୍ରିଜ୍ ନଷ୍ଟ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
ଭାରତ ସରକାର ନେପାଳକୁ ମାନବୀୟ ସହାୟତା ଦେବା ଆରମ୍ଭ କରିଛନ୍ତି ଏବଂ ରିଲିଫ୍ ସାମଗ୍ରୀ ପଠାଇଛି। ଭାରତର ବିହାରରେ ମଧ୍ୟ ନେପାଳରୁ ଆସୁଥିବା ନଦୀଗୁଡ଼ିକୁ ନେଇ ସତର୍କତା ଜାରି ହୋଇଛି ଏବଂ କେତେକ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ନେପାଳ ଯାଇଥିବା ଭାରତୀୟ ପରିବାରବର୍ଗଙ୍କ ସହାୟତା ପାଇଁ +୯୭୭ ୯୮୫ ୧୩୧ ୬୮୦୭ ଏବଂ +୯୭୭ ୯୭୦ ୯୧୦ ୭୫୦୦ ରେ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।
ଏହି ଅସମୟରେ ନେପାଳକୁ ସହାୟତାର ହାତ ବଢ଼ାଇଛି ଭ ଭାରତ। ଭାରତ ନେପାଳକୁ ମାନବିକ ସହାୟତା ପଠାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ସମସ୍ତ ପ୍ରକାରର ମାନବିକ ସହାୟତାର ପ୍ରତିଶ୍ରୁତି ଦେବା ପରେ ଭାରତ ଅସ୍ଥାୟୀ ଆଶ୍ରୟସ୍ଥଳ, କମ୍ବଳ, ସ୍ୱାସ୍ଥ୍ୟ କିଟ୍, ସୋଲାର ଲ୍ୟାମ୍ପ ଏବଂ ଔଷଧ ସମେତ ୧୦ ଟନ୍ ମାନବିକ ସହାୟତା ଏବଂ ବିପର୍ଯ୍ୟୟ-ରିଲିଫ୍ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନାର C-130J ବିମାନରେ ସାମଗ୍ରୀ କାଠମାଣ୍ଡୁକୁ ପଠାଯାଇଥିଲା। ଭାରତ କହିଛି ଯେ C-17 ଏବଂ C-130 ବିମାନ ସହିତ ଅତିରିକ୍ତ ବିମାନରେ ବି ରିଲିଫ୍ ସାମଗ୍ରୀ ପଠାଯିବ।