ଆସୁଛି ଆଉ ଏକ ଲଘୁଚାପ !

ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁମାନ

ଭୁବନେଶ୍ୱର, ୦୯/୦୭: ରଥଯାତ୍ରାରେ ଭିଜିବ ଓଡ଼ିଶା। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ଆଗାମୀ ଦିନରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।

ଆଇଏମଡି଼ର ପୂର୍ବାନୁମାନ ଅନୁଯାୟୀ, ଜୁଲାଇ ୧୩ କିମ୍ବା ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଜୁଲାଇ ୧୭ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା-ପଶ୍ଚିମବଙ୍ଗର ସଂଲଗ୍ନ ଉପକୂଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ, ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

୯ ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେବାର ସମ୍ଭାବନା ଅଛି। ୧୩ ଏବଂ ୧୪ ଜୁଲାଇରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୦, ୧୧ ଏବଂ ୧୨ ଜୁଲାଇରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ଜୁଲାଇରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବୌଦ୍ଧ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୧୧ ତାରିଖରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦା, ପାରାଦୀପ ଏବଂ କେନ୍ଦ୍ରାପଡ଼ାରେ ହାଲୁକା ବର୍ଷା ରେକର୍ଡ କରାଯାଇଛି। ସାରା ଦେଶରେ ଜୁଲାଇ ମାସରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। କେରଳ ଏବଂ ପୂର୍ବ ମଧ୍ୟ ଭାରତର କିଛି ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।