ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମୋହର ମାରିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ମିଟିଂରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନୂତନ ବନ୍ଦର ନୀତି, ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ନୀତି ପ୍ରାରମ୍ଭ, ବିବିଧ କୃଷି ଯୋଜନା ପାଇଁ ସ୍ଵତନ୍ତ୍ର ପାଣ୍ଠିକୁ ଅନୁମୋଦନ ମିଳିଛି। ସେହିପରି OUTR ରୂପାନ୍ତରଣରେ ଖର୍ଚ୍ଚ ହେବ ୧୭ଶହ କୋଟି ଏବଂ କଟକ ଜିଲ୍ଲାରେ ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣ ଏବଂ ରାଜ୍ୟ ଶିଶୁ ନୀତି-୨୨ ‘ପ୍ରାରମ୍ଭ’କୁ କ୍ୟାବିନେଟ୍ ମଂଜୁରୀ ମିଳିଛି।

କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକ୍ରମେ କଟକ ବାରବାଟୀ ଷ୍ଟାଡିୟମ ସମେତ ୫ ମ୍ୟୁନିସିପାଲିଟି କର୍ପୋରେସନରେ ହକି ବିଶ୍ବ କପ୍‌ ଉତ୍ସବ ହେବ ପାଳନ । ୧୦୦ଟି ନୂଆ ବସ୍‌ ସହିତ ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ନିୟମିତ ବିମାନ ସେବା ସହ ରାଉରକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ।

କଟକ ଜିଲ୍ଲାରେ ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ କ୍ୟାବିନେଟ୍ ମଂଜୁରୀ ମିଳିଛି। ଏଥିରେ ୩୮୭ ମିଟର ଦୀର୍ଘ ଓ ୪୩.୮୨୫ ମିଟର ଉଚ୍ଚର କଂକ୍ରିଟ ବନ୍ଧ ନିର୍ମାଣ ହେବ।  ହାଡୁଆ ନଦୀରେ ଡ୍ୟାମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୨୫ କୋଟି ଟଙ୍କା। ଫଳରେ ନରସିଂହପୁର, ବଡ଼ମ୍ବା, ତିଗିରିଆ ବ୍ଲକର ଚାଷ ଜମିକୁ ଜଳସେଚନ କରାଯାଇପାରିବ।

ରାଜ୍ୟ ଶିଶୁ ନୀତି-୨୦୨୨ ପ୍ରାରମ୍ଭକୁ କ୍ୟାବିନେଟ ମଂଜୁରୀ ମିଳିଛି। ଶିଶୁଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଗୁରୁତ୍ୱ ଦେବ ନୂଆ ନୀତି। ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାରକୁ ଅଗ୍ରାଧିକାର ଦିଆଯିବ। ବିଜ୍ଞପ୍ତିର ବର୍ଷକ ମଧ୍ୟରେ ଲାଗୁ ହେବ ରାଜ୍ୟ ଶିଶୁ ନୀତି ପ୍ରାରମ୍ଭ।