ସରକାରୀ ଚାକିରି ପାଇଁ ମା’କୁ ମାରିଥିଲା, ବାପାଙ୍କୁ ବି ହତ୍ୟା କରିଥିବା ଆସିଲା ଅଭିଯୋଗ
ଘଟଣାରେ ନୂଆ ଟ୍ୱିଷ୍ଟ, ତଦନ୍ତ ଜାରି
ଜୟପୁର, ୧୧/୦୭: ରାଜସ୍ଥାନର ଜୟପୁରରେ ସରକାରୀ କର୍ମଚାରୀ ନୀରଜ ଶର୍ମାଙ୍କ ହତ୍ୟା ମାମଲାରେ ଏକ ନୂଆ ଓ ଚାଞ୍ଚଲ୍ୟକର ମୋଡ଼ ସାମ୍ନାକୁ ଆସିଛି। ମା’ଙ୍କ ହତ୍ୟା ଷଡ଼ଯନ୍ତ୍ରରେ ଗିରଫ ହୋଇଥିବା ୨୩ ବର୍ଷୀୟା ଆୟୁଷୀ ଶର୍ମାଙ୍କ ବିରୋଧରେ ବର୍ତ୍ତମାନ ତାଙ୍କ ବାପା ବିଜୟ ଶର୍ମାଙ୍କ ମୃତ୍ୟୁରେ ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗ ନୀରଜ ଶର୍ମାଙ୍କ ଭାଇ ରାକେଶ ଶର୍ମା ଆଣିଥିବା ବେଳେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।
ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ, ନୀରଜ ଶର୍ମାଙ୍କ ହତ୍ୟାକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ ଯୋଜନା କରାଯାଇଥିଲା। ଏହି ମାମଲାରେ ଆୟୁଷୀଙ୍କ ସମେତ ଅନେକ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତକାରୀ ସଂସ୍ଥାର ସନ୍ଦେହ ଯେ, ପରିବାରର ସମ୍ପତ୍ତି ହାତେଇବା ଏବଂ ମା’ଙ୍କ ମୃତ୍ୟୁ ପରେ ସହାନୁଭୂତି ଆଧାରରେ ସରକାରୀ ଚାକିରି ପାଇବା ଉଦ୍ଦେଶ୍ୟରେ ଏହି ଷଡ଼ଯନ୍ତ୍ର କରାଯାଇଥିଲା।
ଏହି ମାମଲାରେ ନୂଆ ମୋଡ଼ ଆସିଛି ନୀରଜ ଶର୍ମାଙ୍କ ଭାଇ ରାକେଶ ଶର୍ମାଙ୍କ ବୟାନ ପରେ। ସେ ଦାବି କରିଛନ୍ତି ଯେ, କିଛି ବର୍ଷ ପୂର୍ବରୁ ବିଜୟ ଶର୍ମାଙ୍କ ମୃତ୍ୟୁ ମଧ୍ୟ ସାଧାରଣ ନଥିଲା। ତାଙ୍କ ସନ୍ଦେହ ଯେ, ସେହି ଘଟଣାରେ ମଧ୍ୟ ଆୟୁଷୀଙ୍କ ଭୂମିକା ଥାଇପାରେ। ସେ ଏହି ମୃତ୍ୟୁର ପୁନଃ ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି।
ପୁଲିସ କହିଛି ଯେ, ବିଜୟ ଶର୍ମାଙ୍କ ମୃତ୍ୟୁକୁ ନେଇ ଉଠିଥିବା ଅଭିଯୋଗର ଯାଞ୍ଚ କରାଯାଉଛି। ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ନୂଆ ମାମଲା ରୁଜୁ କରାଯାଇନାହିଁ।
ସୂଚନାଯୋଗ୍ୟ, ନିକଟରେ ଆୟୁଷୀ ଶର୍ମା ସରକାରୀ ଚାକିରି ହାତେଇବା ପାଇଁ ସୁପାରୀ ଦେଇ ତାଙ୍କ ମା’ଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ।