ନୂଆଦିଲ୍ଲୀ, ୧୧/୦୭: ଭିଏତନାମର ଫୁ କ୍ୱୋକ (Phu Quoc) ଦ୍ୱୀପ ନିକଟରେ ଏକ ପର୍ଯ୍ୟଟକ ସ୍ପିଡ୍ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ, ଅତି କମରେ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ବୋଟ୍ରେ ମୋଟ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୪ ଜଣ କ୍ରିଉ ସଦସ୍ୟ ମିଶି ମୋଟ ୩୬ ଜଣ ଥିଲେ।
ବୋଟ୍ଟି ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ପୂର୍ବରୁ, କୂଳଠାରୁ ପ୍ରାୟ ୪୦୦ ମିଟର ଦୂରରେ ହଠାତ୍ ବୁଡ଼ିଯାଇଥିଲା। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ ଚାଲିଛି।
ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ମଧ୍ୟ, କିଛି ଭାରତୀୟ ପର୍ଯ୍ୟଟକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଭିଏତନାମର ଉଦ୍ଧାରକାରୀ ଦଳ ଖୋଜାଖୋଜି ଜାରି ରଖିଛି।
ଏହି ଦୁର୍ଘଟଣା ସମ୍ପର୍କରେ ଭିଏତନାମସ୍ଥିତ ଭାରତୀୟ ଦୂତାବାସ କହିଛି ଯେ ସେମାନେ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି, ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ପୀଡ଼ିତଙ୍କ ପରିବାରକୁ ସହାୟତା ପାଇଁ ଜରୁରୀ ବ୍ୟବସ୍ଥା କରିଛନ୍ତି।