ଭୁବନେଶ୍ୱର, ୨୦/୦୭: ଲିପ୍ଟ ଦେବା ଆଳରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ କରିଛି ଦୁର୍ବୃତ୍ତ। କିନ୍ତୁ ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଭିଯୁକ୍ତ କବଳରୁ ଖସି ଯିବାରେ ସକ୍ଷମ ହୋଇଛନ୍ତି। ନୟାଗଡ଼ ଅଞ୍ଚଳର ଅଭିଯୁକ୍ତ ସୁନିଲ ପାତ୍ରକୁ ଗିରଫ କରି ଅଧିକ ପଚରାଉଚରା କରୁଛି ପୋଲିସ।
ସୂଚନା ମୁତାବକ, ଅପହୃତା ଯୁବତୀ ଜଣକ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ରବିବାର ଅପରାହ୍ନରେ ଅଫିସ ଯିବା ପାଇଁ ବାଟରେ ଲିଫ୍ଟ ମାଗିଥିଲେ। ସେହି ସମୟରେ ସୁନିଲ ତାଙ୍କୁ ଭୁବନେଶ୍ୱରରେ ଛାଡ଼ିଦେବା ପାଇଁ କହି ଅପହରଣ କରି ନେଇଥିଲା। ବାଇକ୍ ପଛରେ ବସିବା ପରେ ଯୁବକ ଜଣଙ୍କ ତାଙ୍କୁ ରତନପୁର କାଜୁ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ସେ ପ୍ରିୟଙ୍କାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା।
କିନ୍ତୁ ଯୁବତୀ ଜଣଙ୍କ ସାହାସର ସହ ୧୧୨କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇବାରେ ସଫଳ ହୋଇଥିଲେ। ଏହା ପରେ ତାଙ୍କ ଫୋନ୍ ସ୍ୱିଚ ଅଫ ହୋଇଯାଇଥିଲା। ପୁଲିସ କଣ୍ଟ୍ରୋଲ ରୁମ୍ରୁ ଖବରପାଇ ଜୋନ୍-୩ ଏସିପି, ଇନ୍ଫୋଭ୍ୟାଲି, ଜଟଣୀ, ତମାଣ୍ଡୋ, ଭରତପୁର ଏବଂ ଚନ୍ଦକା ଥାନା ପିସିଆର ଓ ପୁଲିସ ରତନପୁର ପୀତାପଲ୍ଲୀ କାଜୁ ଜଙ୍ଗଲରେ ଖୋଜାଖୋଜି କରିଥିଲେ।
ପ୍ରାୟ ୫ ଘଣ୍ଟାର ଏହି ସର୍ଚ୍ଚ ଅପରେସନରେ ୫୦ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ। ଏହା ପରେ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଥିଲା।