ନୂଆଦିଲ୍ଲୀ, ୨୧/୦୭: କେନ୍ଦ୍ର ସରକାର ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛନ୍ତି। ୟୁକ୍ରେନ ଉପକୂଳରେ ଏକ ବାଣିଜ୍ୟ ଜାହାଜରେ ଚାରି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟଣାକୁ ନେଇ ମସ୍କୋ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ନୂଆଦିଲ୍ଲୀ ଏହି ଆକ୍ରମଣକୁ ନିନ୍ଦନୀୟ ବୋଲି କହିଛି।
ଘଟଣା ଉପରେ ଭାରତର ଦୃଢ଼ ଆପତ୍ତି ଜଣାଇବା ଏବଂ ସ୍ପଷ୍ଟୀକରଣ ମାଗିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଡି’ଆଫେୟର୍ସ ଭ୍ଲାଦିମିର ଲାଡାନୋଭଙ୍କୁ ସମନ କରିଛି।
ୟୁକ୍ରେନୀୟ ଉପକୂଳରେ ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ସମୟରେ କ୍ରୁ ସଦସ୍ୟ ଭାବରେ କାର୍ଯ୍ୟ କରୁଥିବା ଏହି ଚାରି ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନୀୟ କର୍ତ୍ତୃପକ୍ଷ ଏହି ଆକ୍ରମଣ ପାଇଁ ରୁଷକୁ ଦାୟୀ କରିଛନ୍ତି।
ସୂଚନାଯୋଗ୍ୟ, ୧୯ ଜୁଲାଇ ସନ୍ଧ୍ୟାରେ ୟୁକ୍ରେନର ଓଡେସା ବନ୍ଦରରୁ ବାହାରିବା ସମୟରେ ଗିନି-ବିସାଉ-ପତାକା ଲାଗିଥିବା ମାଲବାହୀ ଜାହାଜ ଏମଭି ଗୋଲଡେନ୍ ଲିଓ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଚାରି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଶସ୍ୟ ବୋଝେଇ ଜାହାଜରେ ପାଞ୍ଚ ଜଣ ଭାରତୀୟଙ୍କ ସମେତ ୧୭ ଜଣ କ୍ରୁ ସଦସ୍ୟ ଥିଲେ।
ଆକ୍ରମଣକୁ ନିନ୍ଦା କରି ଭାରତ କହିଛି ଯେ ବାଣିଜ୍ୟିକ ଜାହାଜ ଏବଂ ନିରୀହ ନାଗରିକ କ୍ରୁ ସଦସ୍ୟଙ୍କୁ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ।
ୟୁକ୍ରେନୀୟ ଅଧିକାରୀଙ୍କ ଅନୁଯାୟୀ, ରବିବାର ଓଡେସା ଛାଡିବାର କିଛି ସମୟ ପରେ ମକା ବୋଝେଇ କରି ଯାଉଥିବା ଗୋଲ୍ଡେନ୍ ଲିଓ ଉପରେ ତିନୋଟି ରୁଷିଆନ୍ କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯାଇଥିବା ୟୁକ୍ରେନର ନୌସେନା କହିଛି।