ସିଜେପି ଆନ୍ଦୋଳନରେ ସାମିଲ ୨୦୦୦ ଅପରାଧୀ

ଜନ୍ତର ମନ୍ତରରେ ୩ ହଜାର ପୋଲିସ ମୁତୟନ

ନୂଆଦିଲ୍ଲୀ, ୨୫/୦୭: କକ୍ରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ନେଇ ଦିଲ୍ଲୀ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ଶିକ୍ଷା ସୁଧାର, ନିଟ୍ ପରୀକ୍ଷା ଅନିୟମିତତା ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା ବେଳେ ଏହା ଜୁଲାଇ ୨୦ ତାରିଖରେ ହିଂସାତ୍ମକ ରୂପ ନେଇଥିଲା। “ସଂସଦ ଚଲୋ” ମାର୍ଚ୍ଚ ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ, ଜୁଲାଇ ୨୦ ତାରିଖର ଆନ୍ଦୋଳନରେ ୧୩୦ ପୋଲିସ କର୍ମୀ ଏବଂ ୬୫ ଛାତ୍ର ଆହତ ହୋଇଥିଲେ। କେତେକ ସିନିୟର ଅଧିକାରୀ ମଧ୍ୟ ଆହତ ହୋଇଥିବାର ଖବର ମିଳିଛି। ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବା ସହ ପଥର, ବୋତଲ ଆଦି ମାଡ଼ କରିଥିଲେ। ଏହି ଘଟଣାରେ ଏକ ଛାତ୍ରୀ ଗୁରୁତର ଆହତ ହୋଇ ରାମ ମନୋହର ଲୋହିଆ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ, ପରେ ତାଙ୍କର ସ୍ୱାସ୍ଥ୍ୟ ଉନ୍ନତି ହୋଇଛି।

ଏହି ଘଟଣାରେ ୧୫ଟି ଏତଲା (FIR) ଦାୟର ହୋଇଛି। ଜନ୍ତର ମନ୍ତର ଏବଂ ଆଖପାଖ ଅଞ୍ଚଳରେ ୩୦୦୦ ପୋଲିସ କର୍ମୀ ମୁତୟନ କରାଯାଇଛି। ତେବେ ଆନ୍ଦୋଳନ ସ୍ଥଳରେ ୧୦,୦୦୦ ଲୋକ ଉପସ୍ଥିତ ଥିବା ଜଣାପଡ଼ିଛି। ଆନ୍ଦୋଳନ ଜାରି ରହିଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ଦିଲ୍ଲୀ ପୋଲିସ ଜନ୍ତର ମନ୍ତରରେ ଫେସିଆଲ୍ ରେକଗ୍ନିସନ୍ ସିଷ୍ଟମ (FRS) କ୍ୟାମେରା ଏବଂ ସର୍ଭେଲାନ୍ସ ଭ୍ୟାନ୍ ଲଗାଇଛି। ପୋଲିସ ଦାବି କରିଛି ଯେ ଏହି ସିଷ୍ଟମ ମାଧ୍ୟମରେ ୨,୦୦୦ରୁ ଅଧିକ ଅସାମାଜିକ ତତ୍ତ୍ୱ ଏବଂ ଅପରାଧିକ ରେକର୍ଡ ଥିବା ଲୋକ ଚିହ୍ନଟ ହୋଇଛନ୍ତି।

ଆନ୍ଦୋଳନକାରୀମାନେ ଏହି ସୁରକ୍ଷା ବ୍ୟବସ୍ଥାକୁ ବିରୋଧ କରିଛନ୍ତି ଏବଂ ପୋଲିସ ଆକ୍ରମଣର ଅଭିଯୋଗ ଆଣିଛନ୍ତି। ସେମାନେ ଆନ୍ଦୋଳନ ଜାରି ରଖିବା ସହ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।