Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ

ରାଷ୍ଟ୍ରବିରୋଧୀ ଶକ୍ତିମାନେ ଲାଭ ନ ଉଠାନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୨୫/୦୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। କକ୍ରୋଚ୍ ଜନତା ପାର୍ଟି (ସିଜେପି) ଓ ବିଭିନ୍ନ ଛାତ୍ର ସଂଗଠନର ଦାବି ଓ ଆନ୍ଦୋଳନ ଆଗରେ ନଇଁ ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ନିଟ୍‌ ପେପର ଲିକ୍‌କୁ ନେଇ ସାରା ଦେଶରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ସୋସିଆଲ ମିଡିଆ ହ୍ୟାଣ୍ଡେଲ Xରେ ସେ ଇସ୍ତଫା ନେଇ ସୂଚନା ଦେଇଛନ୍ତି।

ଇସ୍ତଫା ପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ପାଇଁ କୃତଜ୍ଞ ବୋଲି ଲେଖିଛନ୍ତି। ସେ ଲେଖିଛନ୍ତି, ସଠିକ୍ ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ୪ ଦଶକରୁ ଅଧିକ ସମୟ ଧରି ଶିକ୍ଷା ସଂସ୍କାର ପାଇଁ ସମର୍ପିତ ଥିଲି। ସମାବେଶୀ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ସଶକ୍ତ ରାଷ୍ଟ୍ରର ଆଧାରଶିଳା। ଦେଶର ଯୁବବର୍ଗଙ୍କ ଆକାଂକ୍ଷା ଓ ଭାବନାକୁ ଗଭୀର ସମ୍ମାନ ଜଣାଉଛି। ମୁଁ ନିଜ ଦାୟିତ୍ଵରୁ କେବେ ହଟିଯିବିନାହିଁ। ଯୁବକଯୁବତୀଙ୍କ ଆଶା, ଆକାଂକ୍ଷାକୁ ସମ୍ମାନ ଜଣାଉଛି। କୁଚକ୍ରିଙ୍କ ଫାଶରେ ଯୁବଶକ୍ତିଙ୍କୁ ଫସିବାକୁ ଦେବିନି।ପ୍ରଜାତନ୍ତ୍ର ଶକ୍ତି ଉପରେ ମୋର ଅତୁଟ ବିଶ୍ବାସ ରହିଛି। ଦେଶ ବିରୋଧୀ ତତ୍ତ୍ବଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବନି। ଛାତ୍ରଛାତ୍ରୀ ସେମାନଙ୍କ ସମୟର ସଠିକ୍ ଉପଯୋଗ କରନ୍ତୁ। ପାଠପଢ଼ାରେ ମନୋନିବେଶ କରନ୍ତୁ, ଭଲ କ୍ୟାରିଅର ଗଢ଼ନ୍ତୁ। ରାଷ୍ଟ୍ରସେବା ଜୀବନର ସର୍ବୋଚ୍ଚ ପ୍ରାଥମିକତା। ପ୍ରଥମ ଦିନରୁ ମୁଁ ମୋ ଉତ୍ତରଦାୟିତ୍ଵ ନେଇଥିଲି। NEET-UG ପୁନଃପରୀକ୍ଷା ସଫଳତାର ସହ ଶେଷ ହେଲା। ଆଗାମୀ ବର୍ଷରୁ CBT ମୋଡ୍‌ରେ ପରୀକ୍ଷା ହେବ।