ପ୍ଲାଷ୍ଟିକ ପ୍ୟାକେଟରେ ପାନ ମସଲା ପ୍ୟାକେଜିଂ ମନା

ପାନ ମସଲା ପ୍ୟାକେଜିଂକୁ ନେଇ ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ, ୧୨/୦୮: ପାନ ମସଲା ପ୍ୟାକେଜିଂକୁ ନେଇ ନୂଆ ନିୟମ ଲାଗୁ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ଏଣିକି ପାନ ମସଲା ପ୍ୟାକେଟ୍‌ରେ ପ୍ଲାଷ୍ଟିକ୍, ପ୍ଲାଷ୍ଟିକ୍ ଲାମିନେଟ୍, ଆଲୁମିନିୟମ୍ ଫଏଲ୍ କିମ୍ବା ମେଟାଲାଇଜ୍‌ଡ ଲେୟର ବ୍ୟବହାର କରାଯାଇପାରିବ ନାହିଁ। ନୂଆ ବ୍ୟବସ୍ଥା ଅନୁସାରେ ପେପର, ପେପରବୋର୍ଡ, ସେଲୁଲୋଜ୍ କିମ୍ବା ଅନ୍ୟ ପ୍ରାକୃତିକ ଉତ୍ପତ୍ତିର ସାମଗ୍ରୀ ବ୍ୟବହାର କରିବାକୁ ପଡ଼ିବ। ଏହା ସହିତ ଟିନ୍ ଓ କାଚର ପାତ୍ର ମଧ୍ୟ ଅନୁମୋଦିତ ରହିଛି।

କିନ୍ତୁ ପେପର କିମ୍ବା ସେଲୁଲୋଜ୍ ଆଧାରିତ ପ୍ୟାକେଜିଂ ମଧ୍ୟ ପ୍ଲାଷ୍ଟିକ୍‌ମୁକ୍ତ ହେବା ଆବଶ୍ୟକ। ଅର୍ଥାତ୍ ପ୍ୟାକେଟ୍‌ର ଭିତରେ କିମ୍ବା ଉପରେ ପ୍ଲାଷ୍ଟିକ୍‌ର ଲେୟର ଲଗାଇ ତାହାକୁ ‘ପେପର ପ୍ୟାକେଜିଂ’ ବୋଲି ବ୍ୟବହାର କରାଯାଇପାରିବ ନାହିଁ।

ପାନ ମସଲାର ଛୋଟ ଛୋଟ ପ୍ଲାଷ୍ଟିକ୍ ସାଚେଟ୍‌ ଦୀର୍ଘଦିନ ଧରି ପ୍ଲାଷ୍ଟିକ୍ ବର୍ଜ୍ୟର ଏକ ସ୍ରୋତ। ପ୍ଲାଷ୍ଟିକ୍ ସାଚେଟ୍‌ରେ ଗୁଟ୍‌ଖା, ତମାଖୁ କିମ୍ବା ପାନ ମସଲା ସଂରକ୍ଷଣ, ପ୍ୟାକ୍ କିମ୍ବା ବିକ୍ରି କରିବା ନିଷେଧ ସମ୍ପର୍କିତ ବ୍ୟବସ୍ଥା ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ସରେ ରହିଛି।