ଟାଟା ସନ୍ସର ଚେୟାରମ୍ୟାନ ପଦରୁ ଏନ୍. ଚନ୍ଦ୍ରଶେଖରନଙ୍କ ଇସ୍ତଫା
ନୋଏଲ ଟାଟାଙ୍କ ସହ ବିବାଦ ପରେ ଇସ୍ତଫା ଦେଇଥିବା ସୂଚନା
ନୂଆଦିଲ୍ଲୀ, ୧୨/୦୮: ଟାଟା ସନ୍ସର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖରନ। ଟାଟା ସନ୍ସର ବାର୍ଷିକ ସାଧାରଣ ସଭା ୧୮ ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ସେ ପଦରୁ ଇସ୍ତଫା ଦେଇଛନ୍ତି।
ଟାଟା ଟ୍ରଷ୍ଟସ୍ର ଚେୟାରମ୍ୟାନ ନୋଏଲ ଟାଟାଙ୍କ ସହ ବିବାଦ ପରେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏନ୍. ଚନ୍ଦ୍ରଶେଖରନଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରିଥିଲେ ନୋଏଲ। ୨୪ ଫେବୃଆରୀ ୨୦୨୬ର ବୋର୍ଡ ମିଟିଂରେ ପାଞ୍ଚ ବର୍ଷର ବିସ୍ତାର ପ୍ରସ୍ତାବ ଗୋଟିଏ ସଦସ୍ୟଙ୍କ ସମର୍ଥନ ନଥିବାରୁ ମଞ୍ଜୁର ହୋଇନଥିଲା। ଛ’ ମାସ ପରେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ ଚନ୍ଦ୍ରଶେଖରନ ନିଜେ ପୁନଃ ନିଯୁକ୍ତି ନେବାକୁ ମନା କରିଛନ୍ତି।
ଗ୍ରୁପର ନୂତନ ବ୍ୟବସାୟ (ଯେପରି ଏୟାରଲାଇନ୍ସ, ସେମିକଣ୍ଡକ୍ଟର, ଡିଜିଟାଲ୍ ଇତ୍ୟାଦି)ର ପ୍ରଦର୍ଶନ ଓ ପୁଞ୍ଜି ବିନିଯୋଗ, ଟାଟା ସନ୍ସକୁ ଲିଷ୍ଟ ନକରିବାର ପ୍ରତିଶ୍ରୁତି, ବୋର୍ଡ ପ୍ରତିନିଧିତ୍ୱ ଏବଂ ଶାପୁରଜୀ ପାଲୋନଜୀ ଗ୍ରୁପର ଅଂଶ ବିକ୍ରିକୁ ନେଇ ବିବାଦ ଦେଖା ଦେଇଥିଲା।