ପାନାମା ପଣ୍ୟବାହୀ ଜାହାଜକୁ ମିସାଇଲ ମାଡ

ଗଲ୍ଫ ଅଫ ଓମାନରେ ଦୁଇଟି ହେଲଫାୟାର ମିସାଇଲ ମାଡ କଲା ଆମେରିକା

ନୂଆଦିଲ୍ଲୀ, ୧୨/୦୮: ଷ୍ଟ୍ରେଟ ଅଫ ହର୍ମୁଜ ଓ ଗଲ୍ଫ ଅଫ ଓମାନ ଅଞ୍ଚଳରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ଗତକାଲି ପାନାମା ପତାକା ଲାଗିଥିବା ଏକ ପଣ୍ୟବାହୀ ଜାହାଜ ଉପରେ ଆମେରିକୀୟ ସେନା ଦୁଇଟି ମିସାଇଲ ମାଡ଼ କରିଛି। ଏହି ଘଟଣା ପରେ ଇରାନ ଆମେରିକାର ସମସ୍ତ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରି ହର୍ମୁଜକୁ ଖୋଲିବା ପାଇଁ ନିଜର ଦାବି ଦୃଢ଼ କରିଛି।

ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ (CENTCOM) ଅନୁସାରେ, ଗଲ୍ଫ ଅଫ ଓମାନରେ ଥିବା ପାନାମା ପଣ୍ୟବାହୀ ଜାହାଜ ଏମ/ଭି ଭେଲା ନୋଭା ଇରାନୀୟ ବନ୍ଦର ଆଡ଼କୁ ଯିବାକୁ ଚେଷ୍ଟା କରୁଥିଲା। ଆମେରିକାର ନୌବାହିନୀ ବ୍ଲକେଡ ଉଲ୍ଲଂଘନ କରୁଥିବାରୁ ବାରମ୍ବାର ଚେତାବନୀ ଦିଆଯାଇଥିଲା। କିନ୍ତୁ ଜାହାଜର କ୍ରୁ ଅଣଦେଖା କରିବାରୁ ଏକ ଏମଏଚ-୬୦ ହେଲିକପ୍ଟରରୁ ଦୁଇଟି ହେଲଫାୟାର ମିସାଇଲ ଆକ୍ରମଣ କରିଥିଲା। ଏଥିରେ ଜାହାଜର ଷ୍ଟିଅରିଂ ସିଷ୍ଟମ ନଷ୍ଟ ହୋଇଛି।

ସରକାରୀ ସୂତ୍ର ଅନୁସାରେ ଏହି ଆକ୍ରମଣରେ କୌଣସି ମୃତାହତ ହୋଇନାହିଁ। ଜାହାଜର ୧୭ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ଅନ୍ୟ ଏକ ନାଗରିକ ଜାହାଜକୁ ସ୍ଥାନାନ୍ତରିତ କରାଯାଇଛି। କିଛି ପ୍ରାରମ୍ଭିକ ରିପୋର୍ଟରେ ୬ ମୃତ ବୋଲି ଉଲ୍ଲେଖ ଥିଲେ ମଧ୍ୟ ତାହା ସତ ପ୍ରମାଣିତ ହୋଇନାହିଁ।

ଆମେରିକା ଇରାନୀୟ ବନ୍ଦରଗୁଡ଼ିକ ଉପରେ କଠୋର ବ୍ଲକେଡ ଲାଗୁ କରିଛି। ଏହାର ଉଦ୍ଦେଶ୍ୟ ଇରାନକୁ ଅର୍ଥନୈତିକ ଚାପ ଦେବା। ଅନ୍ୟପକ୍ଷରେ ଇରାନ ଷ୍ଟ୍ରେଟ ଅଫ ହର୍ମୁଜକୁ ନିଜ ନିୟନ୍ତ୍ରଣରେ ରଖିଛି ଏବଂ ଆମେରିକାର ସମସ୍ତ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରିଛି।