ପୋଲିସ ଗାଡ଼ିକୁ ଧକ୍କା ଦେଲା ଟ୍ରେଲର, ଦୁଇ କନଷ୍ଟେବଳ ମୃତ

ଦୁଇ ଜଣ ଗୁରୁତର ଆହତ

ବାସୁଦେବପୁର, ୧୩/୧୧: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଏକ ଟ୍ରେଲର ସହ ପୋଲିସ ଗାଡ଼ିର ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ପୋଲିସ କର୍ମଚାରୀ (କନଷ୍ଟେବଳ) ଙ୍କ ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ ଅନ୍ୟ ୨ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ ବାସୁଦେବପୁର-ଧାମରା ରାସ୍ତାର ବିରସ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁରୀ ଜିଲ୍ଲା ପୋଲିସର ଏକ ଟିମ୍ ଏକ ମୋବାଇଲ୍ ଫୋନ୍ ଚୋରି ମାମଲାର ତଦନ୍ତ ଏବଂ ଟ୍ରାକିଂ ପାଇଁ ଧାମରା ଅଞ୍ଚଳକୁ ଆସିଥିଲେ। ସେଠାରୁ ବାସୁଦେବପୁର ଅଭିମୁଖେ ଫେରୁଥିବା ବେଳେ ଧାମରା ଆଡକୁ ଯାଉଥିବା ଏକ ଲୁହା ପଥର ବୋଝେଇ ଦ୍ରୁତଗାମୀ ଟ୍ରେଲର ଭାରସାମ୍ୟ ହରାଇ ପୋଲିସ ଗାଡ଼ିକୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ପୋଲିସ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି।

ଏହି ଦୁର୍ଘଟଣାରେ ପ୍ରଶାନ୍ତ ବାଗଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ଅନ୍ୟ ୩ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ହିମାଂଶୁ ରାୟଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଗୁରୁତରଙ୍କ ଚିକିତ୍ସା ଚାଲିଛି। ଆହତ ପୋଲିସ କର୍ମଚାରୀମାନେ ହେଲେ ଦିବ୍ୟରଞ୍ଜନ ସାହୁ, ପ୍ରଶାନ୍ତ ଜେନା।

ଆହତମାନଙ୍କୁ ପ୍ରଥମେ ବାସୁଦେବପୁର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।