ନାଲକୋ ପକ୍ଷରୁ ‘ସତ୍ୟନିଷ୍ଠା ରୁ ସମୃଦ୍ଧି’ ବିଷୟବସ୍ତୁ ଆଧାରିତ ସତର୍କତା ସଚେତନତା ଅଭିଯାନ ଶୁଭାରମ୍ଭ

ସାମୂହିକ କାର୍ଯ୍ୟକ୍ରମ ଏବଂ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୧୭/୦୮: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ) ପକ୍ଷରୁ ଆଗାମୀ ତିନି ମାସ ଯାଏ ଚାଲିବାକୁ ଥିବା ସତର୍କତା ସଚେତନତା ଅଭିଯାନ ର ଶୁଭାରମ୍ଭ କରାଯାଇଛି। ‘ସତ୍ୟନିଷ୍ଠା ରୁ ସମୃଦ୍ଧି’ ବିଷୟବସ୍ତୁ ଆଧାରିତ ଏହି ଅଭିଯାନକୁ ସିଏମଡି ଶ୍ରୀ ବିଜେନ୍ଦ୍ର ପ୍ରତାପ ସିଂ ଆଜି କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ(ଉତ୍ପାଦନ), ଶ୍ରୀ ଜଗଦୀଶ ଅରୋରା, ନିର୍ଦ୍ଦେଶକ(ପ୍ରକଳ୍ପ ଓ ବୈଷୟିକ), ଡ. ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ(ମାନବ ସମ୍ବଳ), ଶ୍ରୀ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ(ବିତ୍ତ), ଶ୍ରୀ ପ୍ରଣବଜ୍ୟୋତି ନାଥ, ଭା.ପ୍ର.ସେ, ମୁଖ୍ୟ ସତର୍କତା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଉପସ୍ଥିତ ଥିଲେ।

ଏହି ପଦକ୍ଷେପ କେନ୍ଦ୍ରୀୟ ସତର୍କତା ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଆରମ୍ଭ କରାଯାଇଛି ଏବଂ ଏଥିରେ କ୍ଷମତା ନିର୍ମାଣ, ଡିଜିଟାଲ୍ ପଦକ୍ଷେପ ଏବଂ ଚୁକ୍ତି ପରିଚାଳନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯିବ। କର୍ମଚାରୀ, ଠିକା କର୍ମଚାରୀ, ଅଂଶୀଦାର ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ, ତାଲିମ ଅଧିବେଶନ ଏବଂ ପ୍ରତିଯୋଗିତାର ଆୟୋଜନ କରାଯିବ, ଯାହା ସଚ୍ଚୋଟତା, ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇପାରିବ।

ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ସିଏମଡି, କେନ୍ଦ୍ରୀୟ ସତର୍କତା ଆୟୋଗର ନିର୍ଦ୍ଦେଶାବଳୀର ଦକ୍ଷ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସାମୂହିକ କାର୍ଯ୍ୟକ୍ରମ ଏବଂ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଦକ୍ଷତାକୁ ସୁଦୃଢ଼ କରିବାରେ ସତର୍କତା ବିଭାଗର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ, ଶ୍ରୀ ପ୍ରଣବଜ୍ୟୋତି ନାଥ, ଭା.ପ୍ର.ସେ, ମୁଖ୍ୟ ସତର୍କତା ଅଧିକାରୀ, ଅଭିଯାନ ଅବଧି ସମୟରେ ପ୍ରସ୍ତାବିତ ବିଭିନ୍ନ ସତର୍କତା କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ ଏବଂ ଅଭିଯାନର ଗୁରୁତ୍ୱ ଏବଂ ପ୍ରସଙ୍ଗ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ।