ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ

୪ ମହିଳା ଶ୍ରମିକ ଆହତ, ଜଣେ ଗୁରୁତର

କଲ୍ୟାଣସିଂହପୁର ୧୭/୦୮ (ନିପ୍ର): ଧାନ ରୋଇବାକୁ ଯାଉଥିବା ବେଳେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୪ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବଡ଼ମଣି ଘାଟିରେ ଏହି ସଡ଼କ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, କୋଳନରା ବ୍ଲକ୍ ଅନ୍ତର୍ଗତ ଗାଡ଼ିଶେଷଖାଲ ଗ୍ରାମରୁ ପ୍ରାୟ ୧୦ ଜଣ ଶ୍ରମିକ ଏକ ଅଟୋ ଯୋଗେ ଧାନ ରୋଇବା କାମ ପାଇଁ ଶିକରପାଇ ଯାଉଥିଲେ। ମାତ୍ର ବଡ଼ମଣି ଘାଟି ରାସ୍ତା ଦେଇ ଯାଉଥିବା ସମୟରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଥିବା ମହିଳା ଶ୍ରମିକଙ୍କ ସମେତ ଅନ୍ୟ ଆହତମାନଙ୍କୁ ଚିକିତ୍ସା ପାଇଁ ଶିକରପାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ।