ଛାତ୍ର ଆନ୍ଦୋଳନର ବଡ଼ ବିଜୟ: ଦାବି ମାନିଲେ ସୋରେନ ସରକାର

୧୬ ଦିନର ଅନଶନ ଭାଙ୍ଗିଲେ ଦେବେନ୍ଦ୍ର ମହତୋ

ରାଞ୍ଚି, ୧୮/୦୮: ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନକୁ ମିଳିଛି ବଡ଼ ସଫଳତା। ଛାତ୍ର ନେତା ଦେବେନ୍ଦ୍ର ନାଥ ମହତୋ ୧୬ ଦିନ ଧରି ଚଳାଇଥିବା ଅନଶନକୁ ଶେଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଛାତ୍ରମାନଙ୍କ ମୁଖ୍ୟ ଦାବି ମାନିବା ପରେ ସେ ଅନଶନ ଭାଙ୍ଗିଛନ୍ତି।

ଝାଡ଼ଖଣ୍ଡରେ JSSC-CGL ସମେତ ବିଭିନ୍ନ ସରକାରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଛାତ୍ର ଓ ଚାକିରି ଆଶାୟୀମାନେ ଦୀର୍ଘଦିନ ଧରି ଆନ୍ଦୋଳନ କରୁଥିଲେ। ପରୀକ୍ଷାରେ ଅନିୟମିତତାର ତଦନ୍ତ, ପରୀକ୍ଷା ବାତିଲ ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଦାବି କରାଯାଉଥିଲା।

ଦେବେନ୍ଦ୍ର ନାଥ ମହତୋଙ୍କ ନେତୃତ୍ୱରେ ଆନ୍ଦୋଳନ ତୀବ୍ର ହେବା ସହ ଅନଶନ ମଧ୍ୟ ଜାରି ରହିଥିଲା। ଦୀର୍ଘ ସମୟ ଧରି ଖାଦ୍ୟ ଗ୍ରହଣ ନକରିବାରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା।

ଛାତ୍ର ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ସରକାର JSSC-CGL ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ TDPL ମାଧ୍ୟମରେ ହୋଇଥିବା ଅନ୍ୟ ପରୀକ୍ଷା ଓ ଏହାର ଫଳାଫଳକୁ ମଧ୍ୟ ବାତିଲ କରାଯାଇଛି। ସରକାରଙ୍କ ପକ୍ଷରୁ TDPL ମାଧ୍ୟମରେ ୨୦୧୪ରୁ ହୋଇଥିବା ପରୀକ୍ଷା ସମ୍ପର୍କରେ CID ତଦନ୍ତ କରାଯିବ ବୋଲି ମଧ୍ୟ କୁହାଯାଇଛି।

ସରକାରଙ୍କ ଏହି ନିଷ୍ପତ୍ତିକୁ ଛାତ୍ର ଆନ୍ଦୋଳନର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଦୀର୍ଘ ୧୬ ଦିନର ଅନଶନ ପରେ ଦେବେନ୍ଦ୍ର ମହତୋ ରାଞ୍ଚି ସଦର ହସ୍ପିଟାଲରେ ଅନଶନ ଭାଙ୍ଗିଥିବା ସୂଚନା ମିଳିଛି।

ଅନଶନ ଶେଷ କରି ମହତୋ କହିଛନ୍ତି ଯେ, ଏହା ଝାଡ଼ଖଣ୍ଡ ପାଇଁ ଏକ ବିରାଟ ବିଜୟ। ତେବେ ଏହା ସହିତ ତାଙ୍କର ଛାତ୍ର ଓ ଯୁବକଙ୍କ ଅଧିକାର ପାଇଁ ସଂସ୍କାର ଲଢ଼େଇ ଶେଷ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପରୀକ୍ଷାରେ ପେପର ଲିକ୍ ଓ ଅନ୍ୟାନ୍ୟ ଅନିୟମିତତା ରୋକିବା ପାଇଁ କଠୋର ଆଇନ ଏବଂ ସମଗ୍ର ନିଯୁକ୍ତି ବ୍ୟବସ୍ଥାରେ ସଂସ୍କାର ଦାବି ମଧ୍ୟ ଉଠାଇଛନ୍ତି।

ଏହି ଘଟଣାରେ ଛାତ୍ର ନେତା ଦେବେନ୍ଦ୍ର ମହତୋଙ୍କ ସହ ଆଉ ଦୁଇଜଣ ପ୍ରତିବାଦକାରୀ ମଧ୍ୟ ଅନଶନ ଶେଷ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ପରେ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ହୋଇଥିଲେ ମଧ୍ୟ ପରୀକ୍ଷା ବ୍ୟବସ୍ଥାରେ ସ୍ଥାୟୀ ସଂସ୍କାର ପାଇଁ ଦାବି ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

ଛାତ୍ର ଆନ୍ଦୋଳନକୁ ନେଇ ଝାଡ଼ଖଣ୍ଡର ରାଜନୀତି ମଧ୍ୟ ସରଗରମ ହୋଇଥିଲା। ଆନ୍ଦୋଳନକାରୀଙ୍କ ସହ ସିଧାସଳଖ ଆଲୋଚନା କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଥିଲେ। ଅନ୍ୟପଟେ ବିରୋଧୀ ଦଳର ନେତାମାନେ ମଧ୍ୟ ଛାତ୍ରଙ୍କ ଦାବିକୁ ସମର୍ଥନ କରି ସରକାର ଉପରେ ଚାପ ବଢ଼ାଇଥିଲେ।

ସରକାରଙ୍କ ପକ୍ଷରୁ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଏବଂ ଅନିୟମିତତାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦିଆଯାଇଛି।