ଧସିଲା ସୁନା ଖଣି; ୩୦ ଜଣଙ୍କ ମୃତ୍ୟୁ

ଆହୁରି ଫସି ରହିଥିବା ଆଶଙ୍କା

ଆଫ୍ରିକା, ୧୯/୦୮: ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକର ପଶ୍ଚିମ ଅଞ୍ଚଳରେ ଏକ ସୁନା ଖଣି ଧସିବା ବିସ୍ଫୋରଣ ଘଟିବାରୁ ଅତିକମରେ ୩୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆହୁରି କିଛି ଶ୍ରମିକ ଭଗ୍ନାବଶେଷ ଭିତରେ ଫସିଥିବା ଆଶଙ୍କା କରାଯାଉଛି। ଘଟଣା ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ, ଅଗଷ୍ଟ ୧୮ ତାରିଖ ସକାଳେ ନାନା-ମାମ୍ବେରେ ପ୍ରିଫେକ୍ଚରର ଅବ୍ବା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଖଣି ଧସିବା ସମୟରେ ଏହା ଭିତରେ ଅନେକ ଶ୍ରମିକ କାମ କରୁଥିଲେ। ଘଣ୍ଟା ଘଣ୍ଟାର ଉଦ୍ୟମ ପରେ ଖଣିରୁ ୩୦ଟି ମୃତଦେହ ବାହାର କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା କିଛି ଶ୍ରମିକଙ୍କୁ ଚିକିତ୍ସା କରାଯାଉଛି।

ଖଣି ଭିତରେ ଆହୁରି ଲୋକ ଫସିଥିବା ସୂଚନା ମିଳିଥିବାରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳର ପରିସ୍ଥିତି ଅତ୍ୟନ୍ତ ଜଟିଳ ଥିବାରୁ ଫସିଥିବା ଲୋକଙ୍କୁ ଜୀବିତ ଉଦ୍ଧାର କରିବା ସମ୍ଭାବନା ବହୁତ କମ୍।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ଆଧୁନିକ ଉଦ୍ଧାର ଯନ୍ତ୍ରପାତିର ଅଭାବରେ ସ୍ଥାନୀୟ ଲୋକ ଓ ଅନ୍ୟ ଖଣି ଶ୍ରମିକମାନେ ମାଟି ଓ ଭଗ୍ନାବଶେଷ ହଟାଇବାରେ ସହଯୋଗ କରୁଛନ୍ତି।

ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକରେ ଛୋଟ ଛୋଟ ଖଣି ଖନନ ବ୍ୟାପକ ଭାବେ ହୋଇଥାଏ। ହଜାର ହଜାର ଲୋକ ଏଭଳି ଖଣିରେ କାମ କରନ୍ତି। ତେବେ ଏହି ଖଣିଗୁଡ଼ିକରେ ପ୍ରାୟତଃ ଆଧୁନିକ ସୁରକ୍ଷା ବ୍ୟବସ୍ଥା, ଉପଯୁକ୍ତ ଯନ୍ତ୍ରପାତି ଓ ଆବଶ୍ୟକ ସୁରକ୍ଷା ପ୍ରୋଟୋକଲ୍ ଅଭାବ ଦେଖାଯାଏ। ଫଳରେ ଖଣି ଧସିବା ଭଳି ଦୁର୍ଘଟଣା ଘଟିଲେ ମୃତାହତ ସଂଖ୍ୟା ଅଧିକ ହୋଇଥାଏ।