ନଇଁଲେ ସରକାର; ୪୪ ନିଯୁକ୍ତି ପରୀକ୍ଷା ବାତିଲ୍

୨୦୧୪ରୁ ଏଯାବତ ହୋଇଥିବା ୪୪ ପରୀକ୍ଷା ବାତିଲ୍ ନେଇ ବିଜ୍ଞପ୍ତି ଜାରି

ରାଞ୍ଚି, ୧୯/୦୮: ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତି ପାଇଁ ପରୀକ୍ଷାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ହେମନ୍ତ ସୋରେନ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ୨୦୧୪ ମସିହାରୁ ଅନିୟମିତତା ଅଭିଯୋଗରେ ହୋଇଥିବା ୪୪ଟି ନିଯୁକ୍ତି ପରୀକ୍ଷାର ତାଲିକା ପ୍ରକାଶ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ସରକାର ଏନେଇ ୮ଟି ପୃଥକ ବିଜ୍ଞପ୍ତି ଜାରି କରିଛନ୍ତି।

ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍‌ ଏବଂ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଛାତ୍ରମାନେ ଦୀର୍ଘଦିନ ଧରି ଆନ୍ଦୋଳନ କରୁଥିଲେ। ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମ୍‌ରେ ଜେପିଏସସି-ଜେଏସଏସସି ରିଫର୍ମ୍ସ ମଞ୍ଚ ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ଏହି ଆନ୍ଦୋଳନ ପ୍ରାୟ ୨୫ ଦିନ ଧରି ଚାଲିବା ପରେ ସରକାରଙ୍କ ପକ୍ଷରୁ ପରୀକ୍ଷା ବାତିଲ୍‌ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକ ପରେ ପ୍ରଥମେ ଜେଏସଏସସି କମ୍ବାଇନ୍ଡ ଗ୍ରାଜୁଏଟ ଲେଭେଲ (ସିଜିଏଲ) ପରୀକ୍ଷା ବାତିଲ୍ କରିବାକୁ ଘୋଷଣା କରାଯାଇଥିଲା। ଏହା ଆନ୍ଦୋଳନରତ ଛାତ୍ରମାନଙ୍କର ମୁଖ୍ୟ ଦାବି ମଧ୍ୟରୁ ଗୋଟିଏ ଥିଲା। ପରେ ଟିଡିପିଏଲ ନାମକ ଆଉଟ୍‌ସୋର୍ସିଂ ଏଜେନ୍ସି ଦ୍ୱାରା କରାଯାଇଥିବା ପରୀକ୍ଷା ଏବଂ ସେହି ସଂସ୍ଥା ପ୍ରକାଶ କରିଥିବା ଫଳାଫଳକୁ ମଧ୍ୟ ବାତିଲ୍ କରାଯାଇଛି।

ବାତିଲ ହୋଇଥାନ୍ତା ପରୀକ୍ଷା ଗୁଡ଼ିକ ହେଲା: ଡ୍ରଗ୍ ଇନ୍ସପେକ୍ଟର, ସରକାରୀ ଇଞ୍ଜିନିୟରିଂ ଓ ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର, ସରକାରୀ ପଲିଟେକ୍ନିକ୍‌ର ଲେକ୍ଚରର, ସିନିୟର ସାଇଣ୍ଟିଫିକ୍ ଅଫିସର, ଆସିଷ୍ଟାଣ୍ଟ କନଜରଭେଟର ଅଫ୍ ଫରେଷ୍ଟ, ଫରେଷ୍ଟ ରେଞ୍ଜ ଅଫିସର, ସିଭିଲ୍ ଜଜ୍‌ (ଜୁନିୟର ଡିଭିଜନ), ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଡେଣ୍ଟାଲ୍ ଡାକ୍ତର, ଫୁଡ୍ ସେଫ୍ଟି ଅଫିସର, ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର, ଫୁଡ୍ ଆନାଲିଷ୍ଟ, ଡେପୁଟି ଡାଇରେକ୍ଟର୍‌ (ପ୍ରସିକ୍ୟୁସନ୍), ପ୍ରୋଜେକ୍ଟ ମ୍ୟାନେଜର, ଫ୍ୟାକ୍ଟ୍ରି ଓ ବଏଲର୍ ଇନ୍ସପେକ୍ଟର, କୃଷି ଅଧିକାରୀ, ଜିଓଲୋଜିଷ୍ଟ ଓ କେମିଷ୍ଟ।

ଏହା ସହ ଝାଡ଼ଖଣ୍ଡ କମ୍ବାଇନ୍ଡ ସିଭିଲ୍ ସର୍ଭିସେସ୍ ପରୀକ୍ଷାର ବିଭିନ୍ନ ସଂସ୍କରଣ ମଧ୍ୟ ତାଲିକାରେ ରହିଛି।

ଅନିୟମିତତା ସମ୍ପର୍କିତ ମାମଲାର ଶୀଘ୍ର ଶୁଣାଣି ପାଇଁ ହାଇକୋର୍ଟଙ୍କୁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରିବାକୁ ଅନୁରୋଧ କରାଯିବ ବୋଲି ସରକାର କହିଛନ୍ତି। ଏହା ସହ ଜେପିଏସସି ଓ ଜେଏସଏସସିରେ ଆଭ୍ୟନ୍ତରୀଣ ଭିଜିଲାନ୍ସ ସେଲ୍ ଗଠନ କରାଯିବ।

ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ ବରିଷ୍ଠ IAS ଅଧିକାରୀ ଅମିତାଭ କୌଶଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଏହି କମିଟି ଦୁଇ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବ। ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌, ଅନିୟମିତତା କିମ୍ବା ଅନ୍ୟାନ୍ୟ ଅଭିଯୋଗକୁ କିପରି ରୋକାଯାଇପାରିବ, ସେନେଇ କମିଟି ସୁପାରିସ କରିବ।

ସରକାରଙ୍କ ନିଷ୍ପତ୍ତିକୁ ଆନ୍ଦୋଳନରତ ଛାତ୍ରମାନଙ୍କ ଏକ ଅଂଶ ସ୍ୱାଗତ କରିଥିବା ବେଳେ JSSC-CGL ମାଧ୍ୟମରେ ନିଯୁକ୍ତି ପାଇଥିବା ପ୍ରାୟ ୨,୦୦୦ ଜଣ ପ୍ରାର୍ଥୀ ଏହାକୁ ବିରୋଧ କରିଛନ୍ତି। ସେମାନେ ରାଞ୍ଚିରେ ରାଜ୍ୟ ସଚିବାଳୟରୁ ବିର୍ସା ଚୌକ ପର୍ଯ୍ୟନ୍ତ ରାଲି କରିଥିବା ଖବର ମିଳିଛି।

ଅନ୍ୟପଟେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗର ତଦନ୍ତ ଝାଡ଼ଖଣ୍ଡ ସିଆଇଡି ମଧ୍ୟ କରୁଛି। ଏହି ମାମଲାରେ ଟିଡିପିଏଲର ପୂର୍ବତନ କର୍ମଚାରୀ ଅଭୟ ତିୱାରୀଙ୍କୁ ଜୁଲାଇ ୨୨ରେ ଗିରଫ କରାଯାଇଥିବା ଖବର ମିଳିଛି। ପରେ ତାଙ୍କ ପତ୍ନୀ ଓ ଭାଇଙ୍କୁ ମଧ୍ୟ ସିଆଇଡି ପଚରାଉଚରା କରିଛି।