ଜେନ୍-ଜି ପରେ ‘ଜେନ୍ ଆଲଫା’ ଛାତ୍ର ଆନ୍ଦୋଳନ
ପୋଷ୍ଟର ଧରି ପ୍ରତିବାଦ କଲେ, ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ
ଭୋପାଳ, ୧୯/୦୮: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମଙ୍ଗଳବାର ଏକ ଭିନ୍ନ ଧରଣର ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଛି। ଏଠାକାର ରିଜିଓନାଲ୍ ସ୍କୁଲ୍ର ଶତାଧିକ ଛାତ୍ରଛାତ୍ରୀ ପ୍ରସ୍ତାବିତ ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ ସ୍କୁଲ୍ (ଡିଏମଏସ)କୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ) ସହ ମିଶ୍ରଣ କରିବା ପ୍ରସ୍ତାବକୁ ବିରୋଧ କରିଛନ୍ତି। ଏହି ପ୍ରତିବାଦକୁ ସ୍ଥାନୀୟ ଭାବେ ‘ଜେନ୍ ଆଲଫା ପ୍ରୋଟେଷ୍ଟ’ ବୋଲି କୁହାଯାଉଛି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଉଛି ରିଜିଓନାଲ୍ ସ୍କୁଲ୍ର ନିଜସ୍ୱ ଶିକ୍ଷା ପଦ୍ଧତି, ପରିଚୟ ଏବଂ ଶିକ୍ଷା ଉପରେ ପରୀକ୍ଷାମୂଳକ ଆଭିମୁଖ୍ୟ ରହିଛି। କେଭିଏସ ଅଧୀନକୁ ଯିବା ପରେ ଏହି ସ୍ୱତନ୍ତ୍ର ପରିଚୟ ଓ ମୌଳିକ ଉଦ୍ଦେଶ୍ୟ ପ୍ରଭାବିତ ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ପ୍ରତିବାଦ ସମୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେବା ସହ ସ୍କୁଲ୍ର ବର୍ତ୍ତମାନର ପରିଚୟ ଓ ବ୍ୟବସ୍ଥାକୁ ବଜାୟ ରଖିବାକୁ ଦାବି କରିଥିଲେ। ସୂଚନା ଅନୁସାରେ, ପ୍ରାୟ ୩୦୦ରୁ ୪୦୦ ଛାତ୍ରଛାତ୍ରୀ ପ୍ରତିବାଦରେ ସାମିଲ ହୋଇଥିଲେ ଏବଂ ‘ସେଭ୍ ଡିଏମଏସ’ ଭଳି ପୋଷ୍ଟର ଧରିଥିଲେ।
ଛାତ୍ରଛାତ୍ରୀ ଏବଂ ସ୍କୁଲ୍ ସହ ଜଡିତ କିଛି ବ୍ୟକ୍ତିଙ୍କ କହିବା ଅନୁସାରେ, ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ ସ୍କୁଲ୍ ଦୀର୍ଘ ସମୟ ଧରି ଏନସିଇଆରଟି ଅଧୀନରେ କାର୍ଯ୍ୟ କରିଆସୁଛି। ଏହି ସ୍କୁଲ୍ଗୁଡ଼ିକର ମୂଳ ଲକ୍ଷ୍ୟ ଥିଲା ନୂଆ ଶିକ୍ଷା ପଦ୍ଧତି, ଶିକ୍ଷଣ ପ୍ରଣାଳୀ ଓ ପ୍ରଗତିଶୀଳ ଶିକ୍ଷା ମଡେଲ୍ ଉପରେ ପରୀକ୍ଷା କରିବା।
ଦେଶର ଭୋପାଳ, ଅଜମେର, ମଇସୂର ଓ ଭୁବନେଶ୍ୱରରେ ଏଭଳି ରିଜିଓନାଲ/ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ ସ୍କୁଲ୍ ସ୍ଥାପିତ ହୋଇଛି। ଛାତ୍ରମାନଙ୍କ ଯୁକ୍ତି ହେଉଛି, ଏହି ଅନୁଷ୍ଠାନଗୁଡ଼ିକ କେବଳ ସାଧାରଣ ସ୍କୁଲ୍ ନୁହେଁ; ଶିକ୍ଷାରେ ନୂଆ ପରୀକ୍ଷଣ ଓ ଗବେଷଣାର ଏକ କେନ୍ଦ୍ର ଭାବେ ଏଗୁଡ଼ିକର ଭୂମିକା ରହିଛି।
ତେଣୁ ଏହି ପ୍ରସ୍ତାବିତ ମିଶ୍ରଣକୁ ପ୍ରତ୍ୟାହାର କରିବା ସହ ସ୍କୁଲ୍ର ବର୍ତ୍ତମାନର ପରିଚାଳନା ଓ ଶିକ୍ଷା ପଦ୍ଧତିକୁ ଜାରି ରଖିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଯଦି ତାଙ୍କ ଦାବି ଉପରେ ଶୀଘ୍ର ବିଚାର ନ ହୁଏ ତେବେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ।