ହାଇଦ୍ରାବାଦ, ୨୨/୦୮: ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଥିବା ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ୟୁନିଟ୍ରେ ରିଆକ୍ଟର ଫାଟି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ତତଃ ୯ ରୁ ୧୦ ଜଣ ଆହତ ହୋଇଛନ୍ତି।
ୟାଦାଦ୍ରି ଭୁବନଗିରି ଜିଲ୍ଲାର ପୋଚମ୍ପଲ୍ଲୀ ମଣ୍ଡଳ ସ୍ଥିତ ଫାର୍ମାସ୍ୟୁଟିକାଲ୍ ୟୁନିଟ୍ରେ ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଛି। ଶ୍ରମିକମାନେ ନିଜର ଶିଫ୍ଟ (Shift) ପରିବର୍ତ୍ତନ କରୁଥିବା ସମୟରେ ହଠାତ୍ ରିଆକ୍ଟରରେ ଏକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଯୋଗୁଁ ସମ୍ପୂର୍ଣ୍ଣ ୟୁନିଟ୍ରେ ନିଆଁ ବ୍ୟାପି ଯାଇଥିଲା।
ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଆହତମାନଙ୍କ ମଧ୍ୟରୁ ୨ ଜଣ ୫୦ ପ୍ରତିଶତରୁ ଅଧିକ ଜଳିଯାଇ ଗୁରୁତର ଥିବାବେଳେ ଅନ୍ୟ ଶ୍ରମିକମାନେ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆହତ ଶ୍ରମିକମାନଙ୍କୁ ତୁରନ୍ତ ନିକଟସ୍ଥ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି ।
ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଦୁର୍ଘଟଣାର ଅସଲ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।