ଭୁବନେଶ୍ୱର, ୨୫/୦୮: ଆଇଆଇଟି ଭୁବନେଶ୍ୱରର ନ୍ୟାସନାଲ ସର୍ଭିସ ସ୍କିମ୍ (ଏନଏସଏସ) ଟିମ୍ ଏବଂ ଅନୁଷ୍ଠାନର ସଞ୍ଜୀବନୀ ହେଲଥ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୨୩ ତାରିଖରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ‘ଉମ୍ମିଦ ୭.୦’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ମହତ କାର୍ଯ୍ୟକ୍ରମରେ ମୋଟ ୧୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।
ଆଇଆଇଟି ଭୁବନେଶ୍ୱରର ଡିନ୍ ପ୍ରଫେସର ମିହିର ଦାସ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଏନଏସଏସ ସ୍ୱେଚ୍ଛାସେବୀମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ହେଲଥକେୟାର ଇନଚାର୍ଜ ପ୍ରଫେସର ଡ. ସୀମା ବହିନୀପତି, ଚିଫ୍ ମେଡିକାଲ ଅଫିସର ଡ. ଏମ.ଏ. ଖାନ, ସଞ୍ଜୀବନୀ ହେଲଥ ସେଣ୍ଟରର ସଦସ୍ୟବୃନ୍ଦ, କ୍ୟାପିଟାଲ ହସ୍ପିଟାଲର ଚିକିତ୍ସକ ଡ. ଶ୍ରୁତି ପାଢ଼ୀ ଏବଂ ଏନଜିଓ ‘ସହାୟ’ର ସମ୍ପାଦକ ଶ୍ରୀ କୈଳାସ ସାରଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମଗ୍ର କାର୍ଯ୍ୟକ୍ରମଟିକୁ ଏନଏସଏସ କୋ-ଅର୍ଡିନେଟର ଡ. ଅଙ୍କିତ ଦଲାଲ ପରିଚାଳନା କରିଥିଲେ। ଏସଏସଏସ ଟିମ୍ ସହିତ ‘ପ୍ରବାହ’ ଏବଂ ‘ସୋଲ ଫର ସୋଲେସ’ ଛାତ୍ର ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମର ପରିଚାଳନାରେ ସକ୍ରିୟ ଯୋଗଦାନ ଦେଇଥିଲେ। ଅନୁଷ୍ଠାନର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଆବାସିକ ସଦସ୍ୟମାନେ ଉତ୍ସାହର ସହ ଏହି ରକ୍ତଦାନ ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ।