ରବିବାରଠାରୁ ନିଖୋଜ ଥିବା ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

ନାଗାବଳୀ ନଦୀରୁ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କଲ୍ୟାଣସିଂହପୁର, ୨୫/୦୮ (ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ୧୫ ବର୍ଷୀୟ ଛାତ୍ର ଜଗନ୍ନାଥଙ୍କ ମୃତ ଶରୀର ନାଗାବଳି ନଦୀରୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ରବିବାର ଠାରୁ ନିଖୋଜ ଥିବାବେଳେ, ସୋମବାର ସନ୍ଧ୍ୟା ପ୍ରାୟ  ୮. ୩୦ଟା ସମୟରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ର ଜଣକ କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତ ଅନ୍ତର୍ଗତ ରାସ୍ତୁଗୁଡା ଗ୍ରାମର ବିରସିଂ ମାଝୀଙ୍କ ପୁଅ ଜଗନ୍ନାଥ ମାଝୀ (୧୫) ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ସେ ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ।

ସୂଚନା ଅନୁଯାୟୀ, ଜଗନ୍ନାଥ ରବିବାର ଦିନ ବିଦ୍ୟାଳୟରୁ କେଉଁଆଡ଼େ ଚାଲିଯାଇଥିଲେ। ଦୀର୍ଘ ସମୟ ଧରି ତାଙ୍କର କୌଣସି ପତ୍ତା ନମିଳିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ସ୍ଥାନୀୟ ଥାନାରେ ତାଙ୍କ ନିଖୋଜ ନେଇ ଅଭିଯୋଗ ମଧ୍ୟ କରାଯାଇଥିଲା। ପରିବାର ଲୋକ ସମ୍ପର୍କୀୟ ଙ୍କୁ ପଚରାଉଚରା କରିଥିବା ବେଳେ  ପୋଲିସ ପକ୍ଷରୁ ନଦୀ ତଟ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଜଗନ୍ନାଥଙ୍କ କୌଣସି ସନ୍ଧାନ ମିଳିନଥିଲା।

ନିଖୋଜ ସମୟରେ ଜଗନ୍ନାଥଙ୍କ ପାଖରେ ଥିବା ମୋବାଇଲ ଫୋନ ମଧ୍ୟ ସୁଇଚ୍‌ଅଫ୍‌ ଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ନିରାଶ ହେବା ପରେ  ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିଦ୍ୟାଳୟ  ପଛପାର୍ଶ୍ୱରେ ପ୍ରବାହିତ ନାଗାବଳୀ ନଦୀ ଓ ଏହାର ଆଖପାଖ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଖୋଜା ଖୋଜି କରିଥିଲେ କିନ୍ତୁ କୌଣସି ଅନୁସନ୍ଧାନ ପାଇନଥିଲେ।ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ ବଡ଼ ମାଣିଝୋଲା ନଦୀରେ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖି ପୁଲିସ ଓ ଅଗ୍ନିଶମ ବିଭାଗ କୁ  ସୂଚନା ଦେଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ବିଦ୍ୟାଳୟ ଠାରୁ ପ୍ରାୟ ୨କିମି ଦୂରତା ଏକ ପଥର ସନ୍ଦୀରେ ରହିଯାଇଥିବାରୁ ଉଦ୍ଧାର କରାଯାଇପାରିଲା ବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ, ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ ବିଦ୍ୟାଳୟର ସୁରକ୍ଷା ପାଚେରୀ ଓ ପାଇଖାନା ମରାମତି କାମ ଚାଲିଥିବାବେ ଳେ ଉକ୍ତ ଶ୍ରେଣୀର ୩ ଜଣ ଛାତ୍ର ନଦୀ ପାର୍ଶ୍ୱକୁ ଶୌଚ ପାଇଁ ଯାଇଥିଲେ । ଅସାବଧାନତା ଯୋଗୁଁ ଜଗନ୍ନାଥଙ୍କ ଗୋଡ ଖସି ଯିବାରୁ ନାଗାବଳି ନଦୀ ସୁଅରେ ଭାସି ଯାଇଥିବା ସୂଚନା ମିଳିଛି। ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି । ପୋଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ଶବ ରାୟଗଡା ନେଇ ସୁରକ୍ଷିତ ରଖିବା ପରେ ଆଜି ମଙ୍ଗଳବାର ସକାଳୁ ପୁଲିସ, ମାଜିଷ୍ଟ୍ରେଟ, ଜିଲା ମଙ୍ଗଳ ଅଧିକାରୀ ଓ ପରିବାର ଉପସ୍ଥିତି ରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଘଟଣାର ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।