ପୁରୀ, ୨୫/୦୮: ପୁରୀର କୁମ୍ଭାରପଡ଼ା ଅଞ୍ଚଳରେ ମାଆକୁ ହତ୍ୟା କରି ଘର ଭିତରେ ଲୁଚାଇ ରଖାଯାଇଥିବା ଏକ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରୋଷେଇ ଘରର ସ୍ଲାବ ତଳେ ମାଆର ମୃତଦେହକୁ ଲୁଚାଇ ତା’ ଉପରେ ପ୍ଲାଷ୍ଟର କରି ପୁଅ ଫେରାର ହୋଇଯାଇଛି। ତେବେ ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଘେରରେ ଅଛି। ପୁଅ ୨୧ ତାରିଖରୁ ଫେରାର ଥିବା ବେଳେ ତା’ର ଖୋଜଖବର ମିଳିଲେ ହିଁ ସମ୍ପୂର୍ଣ୍ଣ ସତ୍ୟ ପଦାକୁ ଆସିବ।
ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ତଳେ ଜଣେ ମହିଳା ତାଙ୍କ ପୁଅ ମଦନ ଦଳେଇଙ୍କ ସହ କୁମ୍ଭାରପଡ଼ାର ଏକ ଘରେ ଭଡ଼ାରେ ରହିବାକୁ ଆସିଥିଲେ। ଗତ ୨୧ ତାରିଖଠାରୁ ପୁଅ ଫେରାର ଥିବା ବେଳେ ମାଆଙ୍କର ମଧ୍ୟ କୌଣସି ଖୋଜଖବର ମିଳିନଥିଲା। ଏହାକୁ ନେଇ ଘର ମାଲିକଙ୍କ ସନ୍ଦେହ ହୋଇଥିଲା।
ଏହି ସମୟରେ ଘରର ରୋଷେଇ ଘରୁ ପ୍ରବଳ ଦୁର୍ଗନ୍ଧ ଆସିବାରୁ ଘର ମାଲିକ ମନୋରମା ସାହୁଙ୍କ ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା। ରୋଷେଇ ଘରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନୂଆ ଭାବେ ପ୍ଲାଷ୍ଟର କରାଯାଇଥିବା ଦେଖି ସେଠାରେ କିଛି ଲୁଚାଇ ରଖାଯାଇଥିବା ଆଶଙ୍କା କରାଯାଇଥିଲା। ସେଠାରୁ ପାଣି ଓ ବର୍ଜ୍ୟ ପଦାର୍ଥ ବାହାରୁଥିବା ସହ ଦୁର୍ଗନ୍ଧ ଆସୁଥିଲା।
ଘଟଣା ସମ୍ପର୍କରେ ଘର ମାଲିକ ପୁଲିସକୁ ଖବର ଦେବା ପରେ କୁମ୍ଭାରପଡ଼ା ଥାନା ପୁଲିସ ଓ ସିଟି ଡିଏସପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ପ୍ରାୟ ୪ରୁ ୫ ଦିନ ପୂର୍ବରୁ ପୋତା ଯାଇଥିବା ଅନୁମାନ କରାଯାଉଛି। ମାଆକୁ ପୁଅ ହତ୍ୟା କରିଛି କି, ଅନ୍ୟ କେହି ହତ୍ୟା କରି ତାଙ୍କ ମୃତଦେହକୁ ଘର ଭିତରେ ଲୁଚାଇ ରଖିଛି ଏବଂ ଏହା ପଛରେ କାହାର ଭୂମିକା ରହିଛି—ସେସବୁ ଦିଗରୁ ତଦନ୍ତ ଚାଲିଛି।
ଘଟଣାରେ ସନ୍ଦେହ କରାଯାଉଥିବା ପୁଅ ଫେରାର ଥିବା ଖବର ମିଳିଛି। ତାଙ୍କ ଅନୁପସ୍ଥିତି ଘଟଣାକୁ ନେଇ ସନ୍ଦେହକୁ ଆହୁରି ବଢ଼ାଇଛି।