ଜୟପୁର, ୨୫/୦୮: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଫିଲ୍ମ ଷ୍ଟାଇଲରେ ପୋଲିସ ଓ ଡକାୟତଙ୍କ ମଧ୍ୟରେ ମୁହାଁମୁହିଁ। ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ ବୋଲେରୋକୁ ଅଟକାଇବାକୁ ଉଦ୍ୟମ କରିବାରୁ ଡକାୟତ ଦଳ ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ। ପରେ ପୋଲିସ ପ୍ରାୟ ୭ କିଲୋମିଟର ପର୍ଯ୍ୟନ୍ତ ସେମାନଙ୍କ ଗାଡ଼ିକୁ ପିଛା କରିଥିଲା।
ସୂଚନା ଅନୁସାରେ, ପାଟ୍ରୋଲିଂ ସମୟରେ ପୋଲିସ ଏକ ସନ୍ଦିଗ୍ଧ ବୋଲେରୋକୁ ଦେଖି ଅଟକାଇବାକୁ ସଙ୍କେତ ଦେଇଥିଲା। ହେଲେ ବୋଲେରୋରେ ଥିବା ଡକାୟତମାନେ ଗାଡ଼ି ନ ଅଟକାଇ ଦ୍ରୁତ ଗତିରେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହା ପରେ ପୋଲିସ ଗାଡ଼ି ସେମାନଙ୍କୁ ପିଛା କରିଥିଲା।
ପ୍ରାୟ ୭ କିଲୋମିଟର ପିଛା କରିବା ପରେ କମରା ଶ୍ମଶାନ ରାସ୍ତା ନିକଟରେ ଡକାୟତମାନେ ନିଜ ଗାଡ଼ିକୁ ଅଟକାଇଥିଲେ। ଏଠାରେ ପୋଲିସ ଗାଡ଼ି ମଧ୍ୟ ଅଟକିବା ପରେ ଡକାୟତମାନେ ପୋଲିସ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏପରିକି ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଗାଡ଼ିର ଚାବି ମଧ୍ୟ ଛଡ଼ାଇ ନେଇଥିଲେ।
ପରିସ୍ଥିତି ଜଟିଳ ହେବା ପରେ ଡକାୟତମାନେ ନିଜ ବୋଲେରୋକୁ ଘଟଣାସ୍ଥଳରେ ଛାଡ଼ି ନିକଟସ୍ଥ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ଏହା ପରେ ପୋଲିସ ପକ୍ଷରୁ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି।
ଡକାୟତମାନେ ଜଙ୍ଗଲ ଭିତରେ ଲୁଚିଥିବା ସନ୍ଦେହରେ ପୋଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କୁ ମଧ୍ୟ ସାମିଲ କରାଯାଇଥିବା ଜଣାପଡ଼ିଛି। ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ଡକାୟତମାନଙ୍କୁ ଖୋଜାଖୋଜି କରାଯାଉଛି।
ଘଟଣାକୁ ନେଇ ବୋରିଗୁମ୍ମା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଡକାୟତ ଦଳ କେଉଁଠାରୁ ଆସିଥିଲେ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ଛାଡ଼ି ଯାଇଥିବା ବୋଲେରୋକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି।