ୱାଶିଂଟନ୍, ୨୫/୦୮: ଆମେରିକାରେ H-1B ଭିସା ପାଇଁ ଆବେଦନ କରିବାକୁ ଆଶା ରଖିଥିବା ବ୍ୟକ୍ତିଙ୍କ ପାଇଁ ପୁଣି ବଡ଼ ଝଟକା। ଟ୍ରମ୍ପ ପ୍ରଶାସନ H-1B ଭିସା ପାଇଁ ୧,୦୩,୨୬୫ ଡଲାର ବା ଭାରତୀୟ ମୁଦ୍ରାରେ ୯୯ ଲକ୍ଷ ଟଙ୍କାର ଏକ ନୂଆ ଫି’ ଲାଗୁ କରିବାକୁ ପ୍ରସ୍ତାବ ରଖିଛି। ଏହା ଭାରତୀୟ IT ପେସାଦାର ଓ ଆମେରିକାରେ ଭାରତୀୟଙ୍କୁ ନିଯୁକ୍ତ କରୁଥିବା କମ୍ପାନୀଗୁଡ଼ିକ ପାଇଁ ବଡ଼ ଆର୍ଥିକ ଚାପ ସୃଷ୍ଟି କରିପାରେ।
ଆମେରିକାର ଡିପାର୍ଟମେଣ୍ଟ ଅଫ ହୋମ ଲ୍ୟାଣ୍ଡ ସିକ୍ୟୁରିଟି (DHS) ପକ୍ଷରୁ H-1B କ୍ୟାପ ସବଜେକ୍ଟ ପିଟିସନ୍ସ ପାଇଁ ଅତିରିକ୍ତ ୧,୦୩,୨୬୫ ଟଙ୍କା ଫି’ ଲାଗୁ କରିବାକୁ ପ୍ରସ୍ତାବ କରାଯାଇଛି। H-1B କାର୍ଯ୍ୟକ୍ରମର ବାର୍ଷିକ ୮୫ ହଜାର ସୀମା ଅଧୀନରେ ଥିବା ଆବେଦନଗୁଡ଼ିକ ଏହାର ଅନ୍ତର୍ଭୁକ୍ତ ହେବ। ଏଥିରେ ସାଧାରଣ ୬୫ ହଜାର ସ୍ଲଟ୍ ସହିତ ଆମେରିକାରେ ଉଚ୍ଚଶିକ୍ଷା ହାସଲ କରିଥିବା ବିଦେଶୀଙ୍କ ପାଇଁ ଥିବା ଅତିରିକ୍ତ ୨୦ ହଜାର ସ୍ଲଟ୍ ମଧ୍ୟ ସାମିଲ।
ଏ ନେଇ ଫେଡେରାଲ୍ ରୁଲ୍ମେକିଂ ପ୍ରକ୍ରିୟାରେ ୩୦ ଦିନର ସାର୍ବଜନୀନ ମତାମତ ଗ୍ରହଣ କରାଯିବ। ଏହା ପରେ DHS ମତାମତର ସମୀକ୍ଷା କରି ଚୂଡ଼ାନ୍ତ ନିୟମ ଜାରି କରିବ। ତେଣୁ ଏହି ସମୟରେ H-1B ଆବେଦନକାରୀଙ୍କୁ ଏହି ରାଶି ଦେବାକୁ ପଡ଼ୁନାହିଁ।
H-1B କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଲାଭାର୍ଥୀ ଦେଶ ହେଉଛି ଭାରତ। ୨୦୨୪ରେ ଅନୁମୋଦିତ H-1B ପିଟିସନ୍ଗୁଡ଼ିକ ମଧ୍ୟରୁ ପ୍ରାୟ ୭୧ ପ୍ରତିଶତ ଭାରତୀୟ ଜନ୍ମଗତ ଆବେଦନକାରୀଙ୍କର ଥିଲା। ତେଣୁ H-1B ନିଯୁକ୍ତି ଖର୍ଚ୍ଚରେ ଏପରି ବିପୁଳ ବୃଦ୍ଧି ଭାରତୀୟ ପେସାଦାରଙ୍କୁ ବିଶେଷ ଭାବେ ପ୍ରଭାବିତ କରିପାରେ।
ବିଶେଷକରି ଭାରତୀୟ IT ଓ ଟେକ୍ନୋଲୋଜି ପେସାଦାରମାନେ H-1B ମାଧ୍ୟମରେ ଆମେରିକାରେ ଚାକିରି ପାଇଥିବାରୁ, ନୂଆ ନିୟମ ଲାଗୁ ହେଲେ ନିଯୁକ୍ତିଦାତା କମ୍ପାନୀଗୁଡ଼ିକ ନୂଆ H-1B ସ୍ପନଶରସିପ ଦେବା ବେଳେ ଅଧିକ ଖର୍ଚ୍ଚ ସାମ୍ନା କରିବେ।