ଭୁବନେଶ୍ୱର, ୨୫/୦୮: ଓଡ଼ିଶାରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ପୁଣି ଏକ ନୂଆ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ୨୯ କିମ୍ବା ୩୦ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରର ରୂପ ନେଇପାରେ। ଏହା ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ବଢ଼ିବାର ଆଶଙ୍କା ରହିଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ କ୍ଷେତ୍ରର ପ୍ରଭାବ ରହିଛି। ଓଡ଼ିଶାରେ ୨୭ରୁ ୩୧ ଅଗଷ୍ଟ ମଧ୍ୟରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ୨୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ଗଠନ ହୋଇପାରେ। ସମୁଦ୍ର ଉପରେ ଅନୁକୂଳ ପରିସ୍ଥିତି ରହିଲେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ୨୯ କିମ୍ବା ୩୦ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।ସମ୍ଭାବ୍ୟ ଘୂର୍ଣ୍ଣିବଳୟର ପ୍ରଭାବରେ ୨୭ ଓ ୨୮ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିପାରେ। ଏହା ସହିତ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ମେଘୁଆ ପାଗ ଓ ବର୍ଷା ଲାଗି ରହିପାରେ।