ରାଉରକେଲା/ଭଦ୍ରକ, ୨୫/୦୮: ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡ଼ାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ରାଉରକେଲାରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଣାଇରେ ଅଜା-ନାତିଙ୍କ ଜୀବନ ଯାଇଛି। ସେହିପରି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ବଣାଇରେ ଅଜା-ନାତି ମୃତ:-
ବଣାଇ ଟିକାୟତପାଲି ଥାନା ତିଲେଇମାଲ ଗାଁ ଭୂୟାଁ ସାହିରେ ଘଟିଛି ଅଭାବନୀୟ ଘଟଣା। ଘରେ ଶୋଇଥିବା ବେଳେ ଅଜା ଓ ନାତିଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ମୃତକ ହେଲେ ୬୮ ବର୍ଷୀୟ ରବି ନାଏକ ଓ ତାଙ୍କ ୧୧ ବର୍ଷୀୟ ନାତି ସଞ୍ଜୟ ନାଏକ।
ସାପ କାମୁଡ଼ିବା ପରେ ଉଭୟଙ୍କୁ ଚିକିତ୍ସା ପାଇଁ ବଣାଇ ମେଡିକାଲ୍କୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ରାଉରକେଲାରେ ଭାଇଭଉଣୀଙ୍କ ମୃତ୍ୟୁ:-
ସେହିପରି ରାଉରକେଲା ଅଞ୍ଚଳର ଲାଠିକଟା ହାତୀଓଡ଼ା ଗାଁରେ ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି। ଉଭୟେ ଘରେ ଶୋଇଥିବା ସମୟରେ ସର୍ପାଘାତର ଶିକାର ହୋଇଥିଲେ। ପରେ ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ (RGH)କୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ବାଲେଶ୍ବରରେ ସାପ କାମୁଡ଼ାରେ ମୃତ୍ୟୁ:-
ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁର ଗାଁରେ ମଧ୍ୟ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଘରେ ଥିବା ସମୟରେ ତାଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।
ଭଦ୍ରକରେ ନାବାଳିକାଙ୍କ ମୃତ୍ୟୁ:-
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡ଼ା ପଞ୍ଚାୟତ ଅନ୍ତର୍ଗତ ମୃଗନୟନୀ ଗାଁରେ ମଧ୍ୟ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସାପ କାମୁଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଚିକିତ୍ସା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।
ଏକାଧିକ ସ୍ଥାନରେ ସାପ କାମୁଡ଼ାରେ ମୃତ୍ୟୁ ଘଟଣା ଚିନ୍ତା ବଢ଼ାଇଛି। ବନ୍ୟା ପରେ ସାପ ଭୟ ବେଶ ଚିନ୍ତା ସୃଷ୍ଟି କରିଛି।