ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଗୋଟିଏ ଛୁଟି ଦିନ ଥିବା ବେଳେ ଦୁଇ ଦିନ ନୋ ମିଟିଙ୍ଗ ଡେ

ଭୁବନେଶ୍ୱର, ୨୫/୦୮: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ବସିବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନ ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ। କାର୍ଯ୍ୟସୂଚୀ ଅନୁସାରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଛି। ଏହି ସମୟ ମଧ୍ୟରେ ଗୋଟିଏ ଛୁଟି ଦିନ ଏବଂ ଦୁଇଟି ‘ନୋ ମିଟିଙ୍ଗ ଡେ’ ରହିବ।

ଚଳିତ ମୌସୁମୀ ଅଧିବେଶନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଶାସକ ଦଳକୁ ଘେରିବାକୁ ବିରୋଧୀ ଦଳ ପ୍ରସ୍ତୁତ କରି ସାରିଲେଣି ସ୍ୱତନ୍ତ୍ର ରଣନୀତି। ଅଧିବେଶନରେ ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍-୨୦୨୬” ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୃହରେ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ଏହି ପ୍ରସଙ୍ଗରେ କଂଗ୍ରେସ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଥିଲା। କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ ଏହି ପ୍ରସଙ୍ଗ ନିୟମିତ ମୌସୁମୀ ଅଧିବେଶନରେ ଆଲୋଚନା କରାଯାଇପାରିବ।