ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍ ସମାରୋହ

୪୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର, ୨୫/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୪୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଏକ ବିଶେଷ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।

ପନ୍ଦରଟି ବିଭିନ୍ନ ଦେଶରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ବି.ଟେକ୍, ଏମ.ଟେକ୍, ବି.ଫାର୍ମ, ବି.ଏସ.ସି (କୃଷି), ବିବିଏ, ମାଷ୍ଟର ଇନ୍ ହସ୍ପିଟାଲ ଆଡମିନିଷ୍ଟ୍ରେସନ ଓ ବି.ଏସ.ସି (ଅପଟୋମେଟ୍ରି) ପାଠ୍ୟକ୍ରମର ଅନ୍ତଭୁର୍କ୍ତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଇଟଂରନ୍ୟାସନାଲ ଟ୍ରିବ୍ୟୁନାଲ ଫର ଦ ଲ ଅଫ ଦ ସି, ହାମବର୍ଗର ବିଚାରପତି ପ୍ରଫେସର ମରିସ କାମଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ସଫଳତା ନିମନ୍ତେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାଙ୍କ ନିଜ ଦେଶ କ୍ୟାମେରୁନ୍ର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସଫଳତା ଲାଭ କରିଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ସୋଆ ସହିତ କ୍ୟାମେରୁନ୍ର ହାନସିଆଟିକ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି ଆଣ୍ଡ ଆପ୍ଳାଇଡ୍ ସାଇନସେସର ଉଚ୍ଚ ଶିକ୍ଷାରେ ସହଯୋଗ ନିମନ୍ତେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସେ ପ୍ରକାଶ କରିଥିଲେ ।

ପ୍ରଫେସର କାମଗାଙ୍କ ପତ୍ନୀ ଶ୍ରୀମତି ଜିନି କାମଗା ଯିଏ କି ଦ ହେଗ ସ୍ଥିତ ଇଟଂରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ କାର୍ଯ୍ୟରତ ସେ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେ କହିଥିଲେ ଯେ ଏହି ଛାତ୍ରଛାତ୍ରୀମାନେ ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେକ୍ୱାକ୍ (ଏନଆଇଆରଏଫ୍) ରାଙ୍କିଙ୍ଗ ଅନୁଯାୟୀ ଭାରତର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବାରୁ ଗର୍ବିତ ହେବା ଆବଶ୍ୟକ ।

ଏହି କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ ପ୍ରଫେସର (ଡ) ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ୟୁନିଭର୍ସିଟି ଆଉଟ୍ରିଚ ପ୍ରୋଗ୍ରାମ ଓ ଇଂଟରନ୍ୟାସନାଲ ରିଲେନ୍ସ ନିଦେ୍ର୍ଦଶକ ପ୍ରଫେସର ନଚିକେତା କେ. ଶର୍ମା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ଥିଲେ ।