ପୋଲିସକୁ ଖୋଜୁଛି ପୋଲିସ

ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ

ନୟାଗଡ଼, ୨୬/୦୮: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ IIC ସୁଜିତ କୁମାର ଦାସଙ୍କୁ ଗିରଫ କରିବା ପାଇଁ ପୁଲିସର ଛାନଭିନ୍ ଜୋରଦାର ହୋଇଛି। ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ଚଢ଼ାଉ କରୁଥିବା ବେଳେ ସୁଜିତ ଦାସ ଏବେବି ଫେରାର ଥିବା ସୂଚନା ମିଳିଛି।

ମିଳିଥିବା ରିପୋର୍ଟ ଅନୁସାରେ, ଜଣେ ମହିଳା ସୁଜିତ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଜୁନ୍ ୧୭ ତାରିଖରେ ଶରଣକୁଳ ଥାନାରେ ମାମଲା ରୁଜୁ ହୋଇଥିଲା। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW)କୁ ଦିଆଯାଇଥିଲା।

ଅଭିଯୋଗ ପରେ ସୁଜିତ ଦାସଙ୍କୁ ଶରଣକୁଳ ଥାନାରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ପରେ ତାଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ଓ ଅସଦାଚରଣ ଅଭିଯୋଗରେ ଡିଜିପି ତାଙ୍କୁ ନିଲମ୍ବନ କରିଥିଲେ।

ମହିଳା ତାଙ୍କ ଅଭିଯୋଗରେ କହିଥିଲେ ଯେ, ଏକ ଜମି ବିବାଦ ସମ୍ପର୍କିତ ମାମଲାରେ ସହାୟତା ପାଇଁ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସୁଜିତ ଦାସ ତାଙ୍କ ସହ ଯୋଗାଯୋଗ କରିବା ସହ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ମହିଳା ଜଣକ ଅଭିଯୋଗ କରିଥିଲେ। ତେବେ ଏସବୁ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ସୁଜିତ ଦାସ ପୂର୍ବରୁ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଥିଲେ।

ବର୍ତ୍ତମାନ ତାଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି। ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ଖୋଜାଖୋଜି ଚାଲିଥିବା ଜଣାପଡ଼ିଛି।