ମେଡିକାଲରୁ ହତ୍ୟା ଅଭିଯୁକ୍ତ ଫେରାର

ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଓ ଡଗ୍‌ସ୍କ୍ୱାଡ୍‌ର ଛାନଭିନ୍

ସୁନ୍ଦରଗଡ଼, ୨୬/୦୮: ସୁନ୍ଦରଗଡ଼ ଜିଲ୍ଲା ଚିକିତ୍ସାଳୟରୁ ଜଣେ ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତ ହେଲଖ ଟେକଚାନ୍ଦ ବେହେରା। ପରିସ୍ରା ଯିବା ବାହାନାରେ ସେ ମେଡିକାଲରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଟେକଚାନ୍ଦ ବେହେରା ଏକ ହତ୍ୟା ମାମଲାରେ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିଲେ। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ଗତକାଲି ଜେଲ୍‌ କର୍ତ୍ତୃପକ୍ଷ ଅଭିଯୁକ୍ତକୁ ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ।

ମେଡିକାଲର ସର୍ଜରୀ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପରିସ୍ରା ଯିବାକୁ କହି ୱାର୍ଡରୁ ବାହାରିଥିଲା ଟେକଚାନ୍ଦ। ଏହାପରେ ସୁଯୋଗ ନେଇ ସେ ମେଡିକାଲ ପରିସରରୁ ଫେରାର ହୋଇଯାଇଥିଲେ।

ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସୁନ୍ଦରଗଡ଼ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ୍‌ ଆରମ୍ଭ ହୋଇଛି। ଫେରାର ଅଭିଯୁକ୍ତଙ୍କୁ ଖୋଜିବାରେ ଡଗ୍‌ସ୍କ୍ୱାଡ୍‌କୁ ମଧ୍ୟ ନିୟୋଜିତ କରାଯାଇଛି। ମେଡିକାଲରୁ ବାହାରିବା ପରେ ସେ କେଉଁ ଦିଗକୁ ଯାଇଥିଲେ ଏବଂ କାହାର ସହାୟତା ନେଇଥିଲେ କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।