ନେପାଳରେ ଭୟଙ୍କର ସ୍ଥିତି; ଗଲାଣି ୩୫୯ ଜୀବନ

ଅନେକ ଲୋକ ନିଖୋଜ, ସବୁଠୁ ଅଧିକ ଭାରତୀୟ

ନେପାଳ, ୨୭/୦୮: ନେପାଳ-ତିବ୍ବତ ସୀମାନ୍ତରେ ଘଟିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଓ ମାଟିଧସିବା ଫଳରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ। ମାଟି ଭିତରୁ ଲୋକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମଧ୍ୟ ଉଦ୍ଧାର ହେଉଥିବା ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଭୟଙ୍କର ସ୍ଥିତିର ଅନୁଧ୍ୟାନ କରିହେଉଛି।

ଅନ୍ୟପଟେ ନେପାଳ ପୋଲିସର ସଦ୍ୟତମ ସୂଚନା ଅନୁଯାୟୀ, ନେପାଳର ରାସୁୱା ଜିଲ୍ଲାରେ ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳୀ ଏବଂ ବିଦେଶୀ ନାଗରିକଙ୍କ ସମେତ ମୋଟ ୬୪୪ ଜଣ ନିଖୋଜ ଥିବା ରିପୋର୍ଟ ହୋଇଛି।

ନିଖୋଜ ହୋଇଥିବା ଲୋକଙ୍କ ମଧ୍ୟରେ ଭାରତୀୟ ନାଗରିକଙ୍କ ସଂଖ୍ୟା ସବୁଠାରୁ ଅଧିକ ୧୭୮ ଜଣ, ଏହା ପରେ ୧୨୭ ନେପାଳୀ ନାଗରିକ, ୬୫ ଆମେରିକୀୟ ନାଗରିକ, ୫୩ ୟୁକ୍ରେନୀୟ, ୫୧ ମାଲେସିଆନ୍, ୩୫ ଅଷ୍ଟ୍ରେଲୀୟ, ୩୩ ବ୍ରିଟିଶ ଏବଂ ୨୫ କାନାଡିଆନ୍ ଅଛନ୍ତି।

ଏହି ତାଲିକାରେ ନଅ ଜଣ ସିଙ୍ଗାପୁରୀ, ଜର୍ମାନୀ ଏବଂ ରୁଷର ଆଠ ଜଣ, ଲାଟଭିଆ ଏବଂ ଦକ୍ଷିଣ ଆଫ୍ରିକାର ଛଅ ଜଣ, ଜାପାନ ଏବଂ ନ୍ୟୁଜିଲାଣ୍ଡର ପାଞ୍ଚ ଜଣ ଏବଂ ଚାରି ଜଣ ଫରାସୀ ନାଗରିକ ମଧ୍ୟ ଅଛନ୍ତି।

ବେଲଜିୟମ ଏବଂ ସ୍ପେନର ତିନି ଜଣ ଲେଖାଏଁ ନାଗରିକ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି, ଯେତେବେଳେ ଆୟରଲ୍ୟାଣ୍ଡ, ଇଟାଲୀ, କାଜାଖସ୍ତାନ ଏବଂ ନେଦରଲ୍ୟାଣ୍ଡର ଦୁଇ ଜଣ ଲେଖାଏଁ ତାଲିକାରେ ଅଛନ୍ତି।

ବେଲାରୁଷ, ବୁଲଗେରିଆ, ଫିନଲ୍ୟାଣ୍ଡ, ହଙ୍ଗେରୀ, ଇସ୍ରାଏଲ, ଲିଥୁନିଆ, ଫିଲିପାଇନ୍ସ, ସର୍ବିଆ, ସ୍ୱିଡେନ ଏବଂ ସ୍ୱିଜରଲ୍ୟାଣ୍ଡରୁ ମଧ୍ୟ ଜଣେ ଲେଖାଏଁ ନିଖୋଜ ଥିବା ରିପୋର୍ଟ ହୋଇଛି।

ପୋଲିସର ସୂଚନା ଅନୁଯାୟୀ, ଏହି ସଂଖ୍ୟାରେ ନେପାଳୀ ଏବଂ ବିଦେଶୀ ନାଗରିକ ଉଭୟ ଅନ୍ତର୍ଭୁକ୍ତ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ନିଖୋଜ ଓ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ।