ରାକ୍ଷୀ ବାନ୍ଧିବା ସହ ନିଶାମୁକ୍ତିର ଶପଥ ପାଠ କଲେ ଗୋଲକ ମହାପାତ୍ର
‘ଆଶାକିରଣ ଫାଉଣ୍ଡେସନ’ର ପିଲାମାନଙ୍କ ସହ ରାକ୍ଷୀ ପୂର୍ଣ୍ଣିମାର ଖୁସି ବାଣ୍ଟିଲେ ଶ୍ରୀ ମହାପାତ୍ର
ଭୁବନେଶ୍ୱର, ୨୮/୮: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ ରାଖୀ ପର୍ବ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇଥିଲେ।
ନୀଳାଦ୍ରି ବିହାରଠାରେ ଶ୍ରମିକ ଭାଇମାନଙ୍କ ସହ ରାଖୀ ପୂର୍ଣ୍ଣିମା ପାଳନ କରିବା ସହ ସେମାନଙ୍କୁ ରାଖୀ ବାନ୍ଧିଥିଲେ ଶ୍ରୀ ମହାପାତ୍ର। ଏହି ଅବସରରେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ ହେବା ଏବଂ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସାମୂହିକ ଭାବେ ଶପଥ ପାଠ କରାଇଥିଲେ।
ସେହିପରି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀସ୍ଥିତ ‘ଆଶାକିରଣ ଫାଉଣ୍ଡେସନ’ର ପିଲାମାନଙ୍କ ସହ ରାଖୀ ପୂର୍ଣ୍ଣିମାର ଖୁସି ବାଣ୍ଟିଥିଲେ ଶ୍ରୀ ମହାପାତ୍ର। ପିଲାମାନେ ତାଙ୍କ ହାତରେ ରାଖୀ ବାନ୍ଧି ସ୍ନେହ, ଭଲପାଇବା ଓ ଭାଇଚାରାର ପବିତ୍ର ବନ୍ଧନକୁ ଆହୁରି ନିବିଡ଼ କରିଥିଲେ। ପିଲାମାନଙ୍କ ସହ କିଛି ସମୟ ବିତାଇ ସେମାନଙ୍କ ନିର୍ମଳ ହସ, ନିଷ୍କପଟ ସ୍ନେହ ଓ ଆତ୍ମୀୟତାରେ ଶ୍ରୀ ମହାପାତ୍ର ଭାବବିହ୍ୱଳ ହୋଇଥିଲେ।
ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ, “ରାଖୀ ପୂର୍ଣ୍ଣିମା କେବଳ ଭାଇ-ଭଉଣୀଙ୍କ ସ୍ନେହର ପର୍ବ ନୁହେଁ; ଏହା ସ୍ନେହ, ଭଲପାଇବା, ଆସ୍ଥା, ସୁରକ୍ଷା ଓ ମାନବିକତାର ପବିତ୍ର ବନ୍ଧନର ପ୍ରତୀକ। ଏହି ପବିତ୍ର ଦିନରେ ସମାଜର ସମସ୍ତ ବର୍ଗଙ୍କ ସହ ଖୁସି ବାଣ୍ଟିବା ସହ ଏକ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନର ସଂକଳ୍ପ ନେବା ଆମ ସମସ୍ତଙ୍କ ଦାୟିତ୍ୱ।”
ସେ ଆହୁରି କହିଥିଲେ ଯେ, ଶ୍ରମିକମାନେ ସମାଜର ବିକାଶର ମୁଖ୍ୟ ଆଧାର। ସେମାନଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଅନ୍ୟପକ୍ଷରେ, ପିଲାମାନଙ୍କ ନିର୍ମଳ ହସ ଓ ଖୁସିରେ ସମାଜର ସୁନ୍ଦର ଭବିଷ୍ୟତ ଲୁଚି ରହିଛି। ତେଣୁ ନିଶାମୁକ୍ତ ସମାଜ ଗଠନ ସହ ପ୍ରତ୍ୟେକ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ।