ଭୁବନେଶ୍ୱର, ୨୮/୦୮: ଠକେଇ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ। ନୟାପଲ୍ଲୀ ନୂଆସାହି ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ତାଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟର ୱାରେଣ୍ଟ ବଳରେ ଗିରଫ କରାଯାଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଜମି ଦେବାର ପ୍ରତିଶ୍ରୁତି ଦେଇ ଅଜିତ ସାହୁ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଠକେଇ କରିଥିଲେ। ଏହି ଘଟଣାକୁ ନେଇ ୨୦୨୪ ମସିହାରେ ଦିଲ୍ଲୀର ତୁଗଲକ ରୋଡ୍ ଥାନାରେ ଅଭିଯୋଗ ହୋଇଥିଲା। ପରେ ଏନେଇ ମାମଲା ରୁଜୁ କରି ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଅଜିତଙ୍କୁ ଅଦାଲତରେ ହାଜର ହେବା ପାଇଁ ବାରମ୍ବାର ସମନ ଜାରି ହୋଇଥିଲା। କିନ୍ତୁ ସେ କୋର୍ଟରେ ହାଜର ହୋଇନଥିବାରୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ଏପରିକି କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲା।
ଏହି ୱାରେଣ୍ଟ ଆଧାରରେ ନୟାପଲ୍ଲୀ ପୋଲିସ ଅଜିତ ସାହୁଙ୍କ ଠିକଣା ସମ୍ପର୍କରେ ସୂଚନା ପାଇ ନୂଆସାହି ଅଞ୍ଚଳର ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା। ସେଠାରୁ ତାଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ନୃସିଂହ ସାହୁ ପୂର୍ବରୁ ବିଜେଡି ସରକାରରେ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।